ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଜିଲା ଔପଦା ଯୁକ୍ତ ୨ କଲେଜରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଚେକବୁକ୍ ଓ କ୍ୟାଶବୁକ୍ ଜବତ କରାଯାଇଛି। ଉପଜିଲାପାଳ ତଥା ଔପଦା ଯୁକ୍ତ ୨ କଲେଜ ସଭାପତି ହରିଶ୍ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ଅଧ୍ୟକ୍ଷ ନିତ୍ୟାନନ୍ଦ ଦାସଙ୍କୁ ନିଲମ୍ବନ କରାଯାଇ ବ୍ରଜକିଶୋର ପାଲଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି।
ଚଢାଉ ବେଳେ ଭିଜିଲାନ୍ସ ଅଧ୍ୟକ୍ଷ ନିତ୍ୟାନନ୍ଦ ଦାସଙ୍କୁ ଜେରା କରିଥିଲେ। ଅଧ୍ୟକ୍ଷ ଦାସ କେଉଁ ପରିସ୍ଥିତିରେ କ୍ୟାଶବୁକ୍ ଏବଂ ଚେକବୁକ୍ ମହାବିଦ୍ୟାଳୟ କୋଷାଧ୍ୟକ୍ଷଙ୍କଠାରୁ ନେଇଥିଲେ ସେ ନେଇ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। ତେବେ ଅଧ୍ୟକ୍ଷ ଦାସ କ୍ୟାଶବୁକ୍ ନେଇ ନିଜ ଘରେ ରଖିଥିବା କଥା କହୁଥିବା ବେଳେ ପୁଣି ଅନ୍ୟ ଏକ ଜାଗାରେ ରଖିଥିବା କହିଥିଲେ। ତାଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଭିଜିଲାନ୍ସ ଡିଏସ୍ପି ସନ୍ତୋଷ କୁମାର ରାଉତରା ଅଧ୍ୟକ୍ଷ ଦାସଙ୍କୁ ନେଇ କ୍ୟାଶବୁକ୍ ଜବତ କରିଛନ୍ତି।