Categories: ବାଣିଜ୍ୟ

ଟିପିସିଓଡିଏଲ୍‌ ପକ୍ଷରୁ ଭିଜିଲାନ୍ସ ସଚେତନତା କର୍ମଶାଳା

ଭୁବନେଶ୍ୱର, ୬।୧୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଏକ ୨ଦିନିଆ ଭିଜିଲାନ୍ସ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଅକ୍ଟୋବର ୩୦ରୁ ନଭେମ୍ବର ୫ପର୍ଯ୍ୟନ୍ତ ‘ଦୁର୍ନୀତିକୁ କୁହନ୍ତୁ ନା, ଦେଶ ପ୍ରତି ଉତ୍ସର୍ଗୀକୃତ’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ସହିତ ସତର୍କତା ସଚେତନତା ସପ୍ତାହ-୨୦୨୩କୁ ସଫଳତାର ସହ ପାଳନ କରାଯାଇଥିଲା। ଉକ୍ତ କର୍ମଶାଳାରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହଙ୍କ ସମେତ ଟାଟା ପାୱାରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସତର୍କତା ସଚେତନତା କର୍ମଶାଳାର ପ୍ରଥମ ଦିନରେ ଟିପିସିର ବରିଷ୍ଠ ଉପଦେଷ୍ଟା (ଏସ୍‌ଆଣ୍ଡ୍‌ଭି) ଏସ.ଜଗନ୍ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ମଶାଳାର ବିଷୟବସ୍ତୁ ସମ୍ପର୍କରେ ମୂଲ୍ୟବାନ ଆଲୋଚନା କରିଥିଲାବେଳେ ସମସ୍ତ ଡିସକମ୍‌ର ୩୮-୪୦ ସତର୍କତା ଅଧିକାରୀ ଯୋଗ ଦେଇଥିଲେ। ସେହିପରି ସତର୍କତା କର୍ମଶାଳାର ଦ୍ୱିତୀୟ ଦିବସରେ ଅନୁସନ୍ଧାନ, ତଦନ୍ତ ପଦ୍ଧତି ଏବଂ ଦୁର୍ନୀତି ନିବାରଣ ନିୟମର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଓ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଓଡ଼ିଶା ରାଜ୍ୟ ସତର୍କତାର ଆରକ୍ଷୀ ଅଧୀକ୍ଷକ ରାଧାକ୍ରିଷ୍ଣା, ସିବିଆଇର ଅବସରପ୍ରାପ୍ତ ଏସ୍‌ପି. ଜୟନାରାୟଣ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଉଦଯାପନୀ ସମାରୋହରେ ଓଡ଼ିଶା ରାଜ୍ୟ ସତର୍କତାର ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସତର୍କତା ମାମଲାରେ ପୂର୍ଣ୍ଣ ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Share