
ଭବାନୀପାଟଣା,୬୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ରେଞ୍ଜର ଚମ୍ପାଚୁଆଁ ବିଟ୍ରେ ବନୀକରଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଇଡି ଚଢ଼ାଉ ପରେ ଏବେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନ୍ସ ସେଲର ଏକ ୬ ଜଣିଆ ଟିମ୍ ଶୁକ୍ରବାର ଭବାନୀପାଟଣାସ୍ଥିତ ଦକ୍ଷିଣ ବନଖଣ୍ଡ ଅଫିସରେ ତଦନ୍ତ ଆରମ୍ଭ କରିଛି। ଟିମ୍ ସଦସ୍ୟ ଚମ୍ପାଚୁଆଁ ବିଟ୍ର ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କୁ ପଚରାଉଚରା ସହିତ ଦକ୍ଷିଣ ବନଖଣ୍ଡ ଡିଏଫ୍ଓ ଓ ସମ୍ପୃକ୍ତ ବିଭାଗରୁ ସୂଚନା ସଂଗ୍ରହ କରିଥିଲେ। ତଦନ୍ତକାରୀ ଦଳ ସାଙ୍ଗରେ କିଛି ଫାଇଲ ନେଇଥିବା ମଧ୍ୟ ସୂଚନା ମିଳିଛି। କଟକସ୍ଥିତ ରାଜ୍ୟ ଭିଜିଲାନ୍ସ ସେଲରୁ ଆସିଥିବା ଏହି ତଦନ୍ତକାରୀ ଦଳରେ ଭିଜିଲାନ୍ସ ଜଙ୍ଗଲ ବିଭାଗ ପ୍ରକୋଷ୍ଠର ଜଣେ ଡିସିଏଫ୍ଙ୍କ ନେତୃତ୍ୱରେ ମୋଟ ୫ଜଣ ଅଧିକାରୀ ରହିଛନ୍ତି। ଆସନ୍ତା ୫/୬ ଦିନ ଧରି ତଦନ୍ତ କରିବା ମଧ୍ୟରେ ସେମାନେ ଚମ୍ପାଚୁଆଁ ଅଞ୍ଚଳକୁ ମଧ୍ୟ ଯିବେ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ, କ୍ଷତିପୂରଣ ବନୀକରଣ ତଥା ଏସ୍ଏମ୍ସି ଓ ସିଏମ୍ସି କାର୍ଯ୍ୟରେ ଚମ୍ପାଚୁଆଁ ବିଟ୍ରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗତ ଫେବୃଆରୀ ୨୮ରେ ଇଡି ଅଧିକାରୀମାନେ ଜୟପାଟଣା ରେଞ୍ଜ ଅଫିସ ସମେତ ଚମ୍ପାଚୁଆଁ ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କ ଲଡୁଗାଁସ୍ଥିତ ଘରେ ଚଢ଼ାଉ କରିଥିଲେ। ପୂର୍ବରୁ ଏହି ଘଟଣାରେ ବିଭାଗୀୟ ଅଧିକାରୀ ତଦନ୍ତ କରି ଫରେଷ୍ଟ ଗାର୍ଡ ସାହୁଙ୍କୁ କ୍ଲିନଚିଟ ଦେଇଥିଲେ। ତେବେ ଚମ୍ପାଚୁଆଁ ବିଟ୍ରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଅନିୟମିତତା ହୋଇଥିବା ଇଡି ସ୍ପଷ୍ଟ କରିଥିଲା। ଏହାର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଏଠାରେ ପହଞ୍ଚତ୍ବା ପରେ କିଛି ପିସି ଖୋର କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଚମ୍ପାଚୁଆଁ ଭଳି ଥୁଆମୂଳ ରାମପୁର ରେଞ୍ଜ ଅନ୍ତର୍ଗତ ଉପରଝାପି, ପୋଖରିଗୁଡା, କୁମଜୋର, ଶୁଣ୍ଡିଯୁବା ପ୍ରଭୃତି ଅଞ୍ଚଳରେ ସମାନ ପ୍ରକାର ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏସବୁ ଅଞ୍ଚଳର ଜଙ୍ଗଲରେ ବନୀକରଣ, ଏସ୍ଏମ୍, ସିଏଲ୍ଏଣ୍ଟ କାମରେ ବ୍ୟାପକ ଅର୍ଥ ହେରଫେର ହୋଇଛି। ପ୍ରାୟ ୬୨ ଲକ୍ଷରୁ ଊଦ୍ଧର୍ବ ଟଙ୍କାର ଅନିୟମିତତା ପାଇଁ ଜୟକୁମାର ଜୁଆଡ ନାମକ ଫରେଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ବିଭାଗ ଦାୟିତ୍ୱ ସାରିଦେଇଛି। ଅନ୍ୟପକ୍ଷରେ ନିଲମ୍ବିତ ଫରେଷ୍ଟର ଜଣକ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ରହି ଅନିୟମିତତା କାଗଜପତ୍ରକୁ ନିୟମିତ କରିବାକୁ ଉଦ୍ୟମ ଜାରି ରଖିଥିବା ବିଭାଗୀୟ ମହଲରେ ଚର୍ଚ୍ଚା ହେଉଛି।