ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ସହ ସୁନାରୁପା, ବ୍ୟାଙ୍କ ପାସବୁକ ଜବତ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ଙ୍କ ଘରେ ବୁଧବାର ସକାଳୁ ଭିଜିଲାନନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଭବାନୀପାଟଣା ସହରସ୍ଥିତ ମନ୍ଦାର ବଗିଚା ପଡ଼ାରେ ଥିବା ତାଙ୍କ ବାସଭଵନ, ନର୍ଲା ବ୍ଲକ ବଲବସପୁର ଗ୍ରାମରେ ଥିବା ପୈତୃକ ଘର ସମେତ ସରକାରୀ ଅଫିସରେ ଏକ କାଳୀନ ଚଢ଼ାଉ ଜାରିରହିଛି।
ତେବେ ଚଢ଼ାଉ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଚଢ଼ାଉ ସମୟରେ ଯନ୍ତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନାରୁପା, ବ୍ୟାଙ୍କ ପାସବୁକ ଜବତ କରାଯାଇଥିବା ଥିବା ଜଣାପଡିଛି। ନିଜର ତଥା ନିଜ ପରିବାର ଲୋକଙ୍କ ନାଁରେ ସେ ଅନେକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ପାସବୁକରେ ଅନେକ ଟଙ୍କା ଜମା ରହିଥିବା ଜଣା ପଡ଼ିଛି । ସେହିପରି ତାଙ୍କ ନାଁ ରେ ଅନେକ ଜମିପଟ୍ଟା ମଧ୍ୟ ରହିଥିବା ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ଅଞ୍ଚଳର ଆରଆଇଙ୍କୁ ଡାକି ତାଙ୍କ ଜମି ପଟ୍ଟାର ମଧ୍ୟ ଯାଞ୍ଚ କରିଛନ୍ତି । ଜଣେ ଯନ୍ତ୍ରୀଙ୍କ ଘରେ ଏତେ ପରିମାଣରେ ଟଙ୍କା ତଥା ସମ୍ପତ୍ତି ବାହାରିବା ଘଟଣା ଜଳ ଯୋଗାଣ ବିଭାଗର ଭ୍ରଷ୍ଟାଚାରର ଗୁମର ଖୋଲୁଛି। କଳାହାଣ୍ଡି, ଜୟପୁର ଓ କୋରାପୁଟ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସ୍‌ପି ସମେତ ୩ ଡିଏସ୍‌ପି ,୪ ଇଂନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ଜାରି ରହୁଥିବାବେଳେ ଆଗକୁ ଆହୁରି ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।