ସୁଚିସ୍ମିତାଙ୍କ ଆଜବେଷ୍ଟସ ଘରେ ଭିଜିଲାନ୍ସର ଛାନ୍‌ଭିନ: ଭିଣୋଇଙ୍କ ଘରୁ ହୋଇଛନ୍ତି ଫେରାର

ଭବାନୀପାଟଣା,୨୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିିଲା ଭବାନୀପାଟଣା ସଦର ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଏକ୍ସକ୍ୟାଡର ଶିକ୍ଷକଙ୍କ ଗୋଟିଏ ମାସର ଦରମା ଓ ଅନ୍ୟ ଅନୁଦାନ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଫେରାର ହୋଇଥିବା ଘଟଣାରେ ଭିଜିଲାନ୍ସ ବିଭାଗ ତାଙ୍କ ଆଜବେଷ୍ଟସ ଘର ସମ୍ପର୍କରେ ଛାନଭିନ ଆରମ୍ଭ କରିଛି। ସେହିପରି ସୁଚିସ୍ମିତାଙ୍କ ମା’ଙ୍କୁ ବିକ୍ରି କରିଥିବା ଜମି ମାଲିକ ଅଚ୍ୟୁତାନନ୍ଦ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଜେରା କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, ଭବାନୀପାଟଣା ସଦର ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କ ଇରିଗେସନ କଲୋନୀସ୍ଥିତ ଆଜବେଷ୍ଟସ ଘରକୁ ଯାଇ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲା। ଇରିଗେସନ କଲୋନୀରେ ୫ ଡିସିମିଲ ଜାଗାରେ ଏହି ଆଜବେଷ୍ଟସ ଘର ରହିଛି। ୨୦୨୦ରେ ଶୁଚିସ୍ମିତା ତାଙ୍କ ମା’ ସ୍ବପ୍ନା ସୁଆରଙ୍କ ନାମରେ ଜାଗା କିଣିଥିଲେ। ଅଚ୍ୟୁତାନନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ୭୫ ହଜାର ଟଙ୍କା ଟ୍ରାନ୍ସଫର କରି ଜମି ରେଜିଷ୍ଟ୍ରେଶନ କରିଥିଲେ। ଅଚ୍ୟୁତାନନ୍ଦଙ୍କୁ ଭିଜିଲାନ୍ସ ବିଭାଗ ଏହି ଜମି ବିକ୍ରି ନେଇ ପଚରାଉଚରା କରିଛି। ବିଇଓ ଅଫିସ ଟଙ୍କା ହଡ଼ପ କରି ୨୦୨୦ରେ ଏହି ୫ ଡିସିମିଲ ଜାଗା କିଣିଥିଲେ। ସୂଚିସ୍ମିତା ଫେରାର ହେବା ଦିନ ତାଙ୍କୁ ଏକ୍ସକ୍ୟାଡର ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ବାଇକ୍‌ରେ ନେଇ ଭବାନୀପାଟଣା ସଦର ଥାନା ନିକଟରେ ଛାଡ଼ିଥିଲେ। ପୂର୍ବରୁ ସୂଚନା ପାଇଁ ବରଗଡ଼ରେ ରହୁଥିବା ତାଙ୍କ ଭିଣୋଇ ଗାଡି ଆଣି ଭବାନୀପାଟଣା ସଦର ଥାନାକୁ ଆସି ନେଇଯାଇଥିଲେ। ଏଥିରେ ବରଗଡ଼ ମହାନ୍ତିପଡ଼ା ଗୋପାଳ କୃଷ୍ଣ ଦାସ ସହଯୋଗ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଶୁଚିସ୍ମିତାର ଭିଣୋଇ ଗଙ୍ଗାଧର ପୂଝାରୀଙ୍କ ବରଗଡ଼ସ୍ଥିତ ଅମ୍ବାପାଲି ବାସଭବନରୁ ସେ ଫେରାର ଥିବା ଜଣାପଡ଼ିଛି। ହେଲେ ୧୫ ଦିନ ପରେ ବି ପୋଲିସ ସୁଚିସ୍ମିତାଙ୍କୁ ଗିରଫ କରିପାରି ନାହିଁ। ଗୋଟିଏପଟେ ଭବାନୀପାଟଣା ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଖୋଲତାଡ଼ ଜାରି ରଖିଛି।

Share