ଜିଏସ୍‌ଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ, ୨୨।୧୨: ରାଉରକେଲା ଜିଏସ୍‌ଟି ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଅଲେଖ ଜିଏସ୍‌ଟି ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି।
ରାଉରକେଲା ଭିଜିଲାନ୍ସର ୪ଟି ସ୍ବତନ୍ତ୍ର ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି। ଅଲେଖଙ୍କ ଗାଁ ସୁନ୍ଦରଗଡ଼ ଜିଲାର ଭଷ୍ମା ଥାନା ଅନ୍ତର୍ଗତ ମଙ୍ଗସପୁରରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ଏସ୍‌ପି ସୁବାସ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ୪ଟି ଟିମ୍‌ ଏକକାଳୀନ ଉଦିନଗର ଜିଏସ୍‌ଟି ଅଫିସ, ସୁନ୍ଦରଗଡ଼ ମଙ୍ଗସପୁରର ପୈତୃକ ଘର, ସୁନ୍ଦରଗଡ଼ ଗୋପାଳପୁର ଥାନା ଅନ୍ତର୍ଗତ ଚକରପୁର ଶ୍ୱଶୁର ଘରେ ଚଢ଼ଉ ଜାରି ରଖିଛନ୍ତି। ଟିମର ଅଧିକାରୀମାନେ ଉଦିତନଗର ଅଫିସ ଚାମ୍ବରରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି l
ରାଉରକେଲାରେ ଜିଏସ୍‌ଟି ଠକେଇର ନୂଆ ନୂଆ ଘଟଣା ସାମ୍ନାକୁ ଆସୁଥିବା ବେଳେ ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Share