ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅଜୟଙ୍କ ଘର ସମେତ ୬ ସ୍ଥାନରେ ଛାପା ମାରିଛି ଭିଜିଲାନ୍ସର ୫ଟି ଟିମ୍‌। ଅଜୟଙ୍କ ଟଙ୍କପାଣି ରୋଡ଼ସ୍ଥିତ ପୈତୃକ ଘର, ଭୁବନେଶ୍ୱର ନୂଆଗଁାସ୍ଥିତ ଆଉଟ୍‌ ହାଉସ୍‌, ପଟିଆସ୍ଥିତ ଏକ ଫ୍ଲାଟ ଏବଂ ବାଲେଶ୍ୱରରେ ଥିବା ଦୁଇ ମହଲା ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ଯାଞ୍ଚ କରୁଛି। ଚଢାଉବେଳେ ଭୁବନେଶ୍ୱରରେ ୨ଟ ଫ୍ଲାଟ ଓ ପୁରୀରେ ୧ଟି ଫ୍ଲାଟ ତାଙ୍କ ନାମରେ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେହିପରି ଭୁବନେଶ୍ୱରରେ ଥିବା ଅଜୟଙ୍କ ବ୍ୟାଙ୍କ୍‌ ଲକରକୁ ମଧ୍ୟ ଯାଞ୍ଚ ପରିସରର୍ଭୁକ୍ତ କରିଛି ତଦନ୍ତକାରୀ ଟିମ୍‌। ରିପୋର୍ଟ ଲେଖାହେବା ବେଳକୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିଲା। ଯାଞ୍ଚରୁ ଆୟ ବର୍ହିଭୂତ ସମ୍ପତ୍ତି ମିଳିଥିବା ଓ ଚଢ଼ାଉ ଚାଲିଥିବାରୁ ଏହାର ପରିମାଣ ଆହୁରି ବଢ଼ିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।

Share