ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ ଶନିବାର ଜବତ କରି ନେଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ୨୦୨୩- ୨୪ ଆର୍ଥକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଘଣ୍ଟଶଳା ଗ୍ରାମର ଦେବେନ୍ଦ୍ର ସେନାପତି ଓଗେର ୧୯ ଜଣଙ୍କର ଲ୍ୟାଣ୍ଡ ଡେଭଲପମେଣ୍ଟ କାର୍ଯ୍ୟ ହୋଇଥିଲା । ଏଥିପାଇଁ ୧୯/୮/୨୦୨୩ ତାରିଖରେ ଏକ ଜରୁରୀ ମିଟିଂ କରାଯାଇ ସେହିଦିନ ହିଁ କାମ ଆରମ୍ଭ ହୋଇଥିଲା। କିନ୍ତୁ କାର୍ଯ୍ୟ ଶେଷ ଦିବସ ଉଲ୍ଲେଖ ନାହିଁ । ଏହି କାର୍ଯ୍ୟ ପାଇଁ ୩୯୫୩ ମୁଖ୍ୟ ଦିବସ ଥିଲାବେଳେ ଜେଇ, ଜିପିଟିଏଙ୍କ ତଦାରଖରେ ହୋଇଥିଲା।

ଏହି ଯୋଜନାର କାମ ସୁପରଭାଇଜ ପାଇଁ ଏମ ଜି ଏନ ଆର୍‌ ଇ ଜି ଏ ପ୍ରୋଗ୍ରାମ ଅଫିସର ଭାବେ ତତ୍କାଳୀନ ଆସିଷ୍ଟାଣ୍ଡ ଇଞ୍ଜିନିୟର ଏ. ସି ମାହାଳିକ, ନିର୍ବାହୀ ଅଧୂକାରୀ ଜେ. କେ. ଭୋଇ, ଜିଆରଏସ ସୁରେଶ ସାହୁ ଓ ବର୍ତ୍ତମାନର ସରପଞ୍ଚ ମାଳତୀ ଭୋଇ ଅଛନ୍ତି। ଭିଜିଲାନ୍ସ ବିଭାଗ ଏହାର ଯାଞ୍ଚ କରିବା ପରେ ଯଦି କିଛି ଅନିୟମିତତା ଥାଏ, ତେବେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପର୍ଯ୍ୟାୟକ୍ରମେ ଆହୁରି ଅନେକ ପଞ୍ଚାୟତରେ ଏମ ଜି ଏନ ଆର୍‌ ଇ ଜି ଏ କାର୍ଯ୍ୟର ଯାଞ୍ଚ କରାଯିବ ବୋଲି ଜଣାପଡିଛି। ଉକ୍ତ ଗ୍ରାମ ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଭିଜିଲାନ୍ସଙ୍କୁ ଲିଖିତ ଅଭିଯୋଗ କରିଥିଲେ।

Share