ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ (ଜିଆର୍ଏସ୍) ହିମାଞ୍ଜଳ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ତାଙ୍କ ଉମରକୋଟ ଭଗବତୀ ନଗରସ୍ଥିତ ବାସଭବନ, ସାନଭରଣ୍ଡିସ୍ଥିତ ବାସଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ହିମାଞ୍ଚଳଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ କରାଯାଇଛି। ଚଢାଉ ସମୟରେ ଜିଆର୍ଏସ୍ଙ୍କ ଘରୁ ୧୭ ଲକ୍ଷ ୮୩ ହଜାର ନଗଦ ଟଙ୍କା, ଗୋଟିଏ କାର, ୩ଟି ମୋଟର ସାଇକେଲ ଓ ଗୋଟିଏ ଅଟୋ ଜବତ କରାଯାଇଛି।ଏହି ଚଢାଉରେ ନବରଙ୍ଗପୁର, କଳାହାଣ୍ଡି, ଜୟପୁର, ମାଲକାନଗିରି ଓ ନୂଆପଡାର ୩ଟି ଟିମ ସାମିଲ ଅଛନ୍ତି । ବ୍ୟାଙ୍କ, ମାକ୍ରୋଫାଇନାନ୍ସ ଓ ପୋଷ୍ଟାଲରେ ରହିଥିବା ପାସବୂକର ଜମା ଗୁଡିକ ଦେଖିବା ପରେ କେତେ ଟଙ୍କା ଜମା ରହିଛି ଓ ସ୍ଥାବର ଅସ୍ଥାବର ସମ୍ପତ୍ତି କେତେ ରହିଛି ଆକଳନ ପରେ ଜଣାପଡିବ ବୋଲି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ କହିଛନ୍ତି।