ଭୁବନେଶ୍ୱର,୯।୪(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ତାଲିକା ଦିନକୁ ଦିନ ବଢ଼ୁଛି। ଶନିବାର ତାଙ୍କ ଶାଳୀ (ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀ)ଙ୍କ ଘରୁ ନଗଦ ୧ କୋଟି ୪୧ ଲକ୍ଷ ଟଙ୍କା ଓ ୩୫୪ ଗ୍ରାମ ସୁନା ଭିଜିଲାନ୍ସ ଜବତ କରିଛି। କାର୍ତ୍ତିକେଶ୍ୱରଙ୍କ ଶାଳୀ ସାଲିଆ ସାହିର ଏକ ଝୁମ୍ପୁଡ଼ି ଘରେ ରହୁଥିବା ବେଳେ ସେଠାରେ ଏତେ ପରିମାଣରେ ଟଙ୍କା ଥିବା ଦେଖି ଭିଜିଲାନ୍ସ କର୍ମଚାରୀ ବି ଚକିତ ହୋଇଯାଇଥିବା ଜଣାପଡ଼ିଛି।
କାର୍ତ୍ତିକେଶ୍ୱରଙ୍କ ପତ୍ନୀ କଳ୍ପନାଙ୍କୁ ଜେରାବେଳେ ସେ ବିପୁଳ ପରିମାଣର ଟଙ୍କା ଓ ସୁନା ତାଙ୍କ ଭଉଣୀଙ୍କ ଘରେ ଲୁଚାଇଥିବା କହିଥିଲେ। ଏହା ପରେ ଭୋରରେ ଭିଜିଲାନ୍ସ ଟିମ କଳ୍ପନାଙ୍କ ଭଉଣୀ ରହୁଥିବା ସାଲିଆ ସାହିରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରୁ ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହ କଳ୍ପନାଙ୍କ ଭଉଣୀ ପୋଖରୀପୁଟରେ ୭୮ ଲକ୍ଷ ଟଙ୍କା ଦେଇ ଏକ ଟ୍ରିପଲେକ୍ସ କିଣିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।
ତେବେ ଦୁଇ ଦିନ ଚଢ଼ାଉ କରିବା ପରେ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କୁ ଗିରଫ କରିଥିଲା। ତାଙ୍କୁ ଅଧିକ ପଚରାଉଚରା ପାଇଁ ଭିଜିଲାନ୍ସ ଟିମ ୩ ଦିନିଆ ରିମାଣ୍ଡରେ ନେଇଛି।