ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ କରି ନେଇଛି। ସୂଚନା ଅନୁଯାୟୀ ୨୦୨୩-୨୪ ଆର୍ଥତ୍କ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଘଣ୍ଟଶଳା ଗ୍ରାମର ଦେବେନ୍ଦ୍ର ସେନାପତି ଓଗେର ୧୯ ଜଣଙ୍କର ଲ୍ୟାଣ୍ଡ ଡେଭଲପମେଣ୍ଟ କାର୍ଯ୍ୟ ହୋଇଥିଲା। ଏଥିପାଇଁ ୧୯ା୮ା୨୦୨୩ରେ ଏକ ଜରୁରୀ ବୈଠକ କରାଯାଇ କାମ ଆରମ୍ଭ ହୋଇଥିଲା। କିନ୍ତୁ କାର୍ଯ୍ୟ ଶେଷ ଦିବସ ଉଲ୍ଲେଖ ନ ଥିଲା, ଏହି କାର୍ଯ୍ୟ ପାଇଁ ୩୯୫୩ ମୁଖ୍ୟ ଦିବସ ରହିଥିଲା। ଏହାର ତଦାରଖ ଦାୟିତ୍ୱରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରୋଗ୍ରାମ ଅଫିସର, ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ ରହିଥିଲେ। ଭିଜିଲାନ୍ସ ବିଭାଗ ଏହାର ଯାଞ୍ଚ କରିବା ପରେ ଯଦି କିଛି ଅନିୟମିତତା ଥାଏ ତେବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଉକ୍ତ ଗ୍ରାମ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଭିଜିଲାନ୍ସଙ୍କୁ ଲିଖିତ ଅଭିଯୋଗ କରିଥିଲେ।

Share