ଭାଇଜାନ୍‌ଙ୍କ ଜୀବନ ପ୍ରତି ବିପଦ, ବନ୍ଧୁକ ଲାଇସେନ୍ସ୍‌ ପରେ ଏବେ କାର୍‌କୁ କଲେ ଅପଗ୍ରେଡ୍‌…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଭାଇଜାନ୍‌ଙ୍କ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ। ତାଙ୍କୁ ହତ୍ୟା ଧମକ ମିଳୁଛି। ଏବେ ସେ ତାଙ୍କ ସୁରକ୍ଷାକୁ ନେଇ ଅତିରିକ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ସେ ତାଙ୍କ ନିରାପତ୍ତାରେ କୌଣସି ଅବହେଳା କରିବାକୁ ଚାହୁଁ ନାହାନ୍ତି। ଖବର ଅନୁଯାୟୀ, ସଲମାନ ଖାନ ତାଙ୍କ ସୁରକ୍ଷାକୁ ବୃଦ୍ଧି କରିଛନ୍ତି। ଯେଉଁଥିପାଇଁ ସେ ତାଙ୍କ କାରକୁ ଅପଗ୍ରେଡ କରିଛନ୍ତି। ସେ ବର୍ତ୍ତମାନ ଏକ ଲ୍ୟାଣ୍ଡ କ୍ରୁଜର ଚଢ଼ିବେ, ଯାହା ବୁଲେଟ ପ୍ରୁଫ। ତାଙ୍କ କାରରେ ଅସ୍ତ୍ରଶସ୍ତ୍ର ରଖାଯାଇଛି। କାରରେ ବୁଲେଟ ପ୍ରୁଫ ଗ୍ଲାସ ମଧ୍ୟ ଲଗାଯାଇଛି। ଅବଶ୍ୟ, ଏହା ଲ୍ୟାଣ୍ଡ କ୍ରୁଜରର ଏକ ନୂତନ ସଂସ୍କରଣ ନୁହେଁ ।

ସଲମାନ ଖାନଙ୍କୁ ଗତ ମାସରେ ହତ୍ୟା ଧମକ ମିଳିଥିଲା। ଏହି ଧମକପୂର୍ଣ୍ଣ ଚିଠିକୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସଲମାନ ଖାନଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ସଲମାନ ଖାନ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ନିଜ କାରକୁ ବି ଅପଗ୍ରେଡ କରିଛନ୍ତି।

ମୁମ୍ବାଇ ପୋଲିସ କହିଛି ଯେ ସଲମାନ ଖାନ ଧମକପୂର୍ଣ୍ଣ ଚିଠି ପାଇବା ପରେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆତ୍ମରକ୍ଷା ପାଇଁ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରଥିଲେ। ଜୁନ ୫ ରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ସଲିମ ଖାନ ଗ୍ରହଣ କରିଥିବା ଧମକପୂର୍ଣ୍ଣ ଚିଠିରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରି ଅବସ୍ଥା ହେବ ବୋଲି ଲେଖାଯାଇଥିଲା।

ଲରେନ୍ସ ବିଷ୍ନୋଇ ୧୯୯୮ ମସିହାରେ ସଲମାନ ଖାନ ଶିକାର କରିଥିବା କୃଷ୍ଣସାର ମୃଗର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ବିଷ୍ନୋଇ ନିଜେ ପୋଲିସ ରିମାଣ୍ଡରେ ପ୍ରକାଶ କରିଛନ୍ତି ଯେ ସେ ୨୦୧୮ ମସିହାଠାରୁ ସଲମାନ ଖାନଙ୍କ ହତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସେ ଏକ ସ୍ବତନ୍ତ୍ର ରାଇଫଲ ମଧ୍ୟ କିଣିଥିଲେ, ଯେଉଁଥିପାଇଁ ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

Share