Categories: ଖେଳ

ବିଜୟ ହଜାରେ ଟ୍ରଫି ଜିତି ଇତିହାସ ରଚିଲା ହରିୟାଣା

ନୂଆଦିଲ୍ଲୀ, ୧୬ା୧୨: ଏକ ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନକୁ ୩୦ ରନରେ ହରାଇ ପ୍ରଥମ ବିଜୟ ହଜାରେ ଟ୍ରଫି ଜିତିଛି ହରିୟାଣା। ଶନିବାର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ରାଜକୋଟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଦଳ ଇତିହାସ ରଚିଛି। ଅନ୍ୟପକ୍ଷେ ୨୦୦୬-୦୭ ସିଜନରେ ଚମ୍ପିୟାନ ହେବା ପରେ ଦ୍ୱିତୀୟ ଥର ଫାଇନାଲକୁ ଆସିଥିବା ରାଜସ୍ଥାନ ରନର୍ସ ଅପ୍ ରେ ସନ୍ତୁଷ୍ଟ ହୋଇଛି।

ଟସ୍ ଜିତି ହରିୟାଣା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ବ୍ୟାଟର ଅଙ୍କିତ କୁମାର, ଅଧିନାୟକ ଅଶୋକ ମିନେରିଆଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଯୋଗଦାନ ବଳରେ ହରିୟାଣା ୫୦ ଓଭରରେ ୮ ଉଇକେଟ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା।

ଜବାବରେ ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅଭିଜିତ୍ ତୋମାର ଏବଂ କୁନାଲ ରାଠୋର ପଞ୍ଚମ ୱିକେଟ୍ ପାଇଁ ୧୨୧ ରନ୍ ପାର୍ଟନରସିପ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। କିନ୍ତୁ ହରିୟାଣାର ପେସ ବିଭାଗ ସମ୍ଭାଳୁଥିବା ସୁମିତ ଏବଂ ହର୍ଷଲ ୩ଟି ଲେଖାଏ ଉଇକେଟ ନେଇ ହରିୟାଣାକୁ ମ୍ୟାଚକୁ ଫେରାଇ ଆଣିଥିଲେ।

ଏହାପରେ ରାଜସ୍ଥାନର ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ। ସୁମିତ ଏବଂ ହର୍ଷଲଙ୍କ ବ୍ୟତୀତ ହରିୟାଣା ପାଇଁ ନିଶାନ୍ତ ସିନ୍ଧୁ ଏବଂ ରାହୁଲ ତେୱାଟିଆ ଦୁଇଟି ଲେଖାଏ ଉଇକେଟ ନେଇ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ।

Share