Categories: ଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର, ୨୭।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନ୍ୟତମ ସମ୍ମାନଜନକ ଘରୋଇ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ତ୍ରିପୁରା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ମ୍ୟାଚରେ ଭିଜେଡି ପଦ୍ଧତିରେ ରେଲଓ୍ବେଠାରୁ ହାରିଥିବାବେଳେ ସୋମବାର ବେଙ୍ଗାଲୁରୁସ୍ଥିତ ଅଲୁର ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ କେରଳଠାରୁ ୭୮ ରନରେ ପରାଜିତ ହୋଇଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା କେରଳ ବିଷ୍ଣୁ ବିନୋଦଙ୍କ ଶତକ ସହାୟତାରେ ୫୦ ଓଭରରେ ୯ ଉଇକେଟ ହରାଇ ୨୮୬ ରନ କରିଥିଲା। ବିନୋଦ ୮୫ ବଲ୍‌ରୁ ୫ ଚୌକା ଓ ୮ ଛକା ସହାୟତାରେ ସର୍ବାଧିକ ୧୨୦ ରନ କରିଥିଲେ। ଅବଦୁଲ ବସିଥ ୪୮ ରନରେ ଅପରାଜିତ ରହିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ଅଭିଷେକ ଯାଦବ ୪ଟି, ରାଜେଶ ମହାନ୍ତି ଓ ପ୍ରୟାସ ସିଂ ୨ଟି ଲେଖାଏ ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ଉଇକେଟ ନେଇଥିଲେ।

୨୮୭ ରନ ବିଜୟ ଲକ୍ଷ୍ୟର ପିଛା କରି ଓଡ଼ିଶା ୪୩.୩ ଓଭରରେ ୨୦୮ ରନରେ ଅଲ୍‌ଆଉଟ ହୋଇଯାଇଥିଲା। ଗୋଟିଏ ପଟରେ ଦୃଢ଼ ବ୍ୟାଟିଂ କରି ଶାନ୍ତନୁ ମିଶ୍ର ୯୨ ରନର ଇନିଂସ ଖେଳିଥିଲେ ହେଁ ଅନ୍ୟପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପତନ ଓଡ଼ିଶା ପାଇଁ ମହଙ୍ଗା ପଡ଼ିଥିଲା। ଅଧିନାୟକ ବିପ୍ଳବ ସାମନ୍ତରାୟ ଦ୍ୱିତୀୟ ସର୍ବାଧିକ ୩୪ ରନ କରିଥିଲେ। କେରଳ ପକ୍ଷରୁ ତାରକା ସ୍ପିନର ଶ୍ରେୟାସ ଗୋପାଳ ୪ଟି, ବାସିଲ ଥାମ୍ପି ଓ ଅଖିଲ ସ୍କାରିଆ ୨ଟି ଲେଖାଏ ଏବଂ ଅଖିନ ସଥର ଓ ବୈଶାଖ ଚନ୍ଦ୍ରନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଓଡ଼ିଶା ୩ ମ୍ୟାଚରୁ ୧ ବିଜୟ ଓ ୨ ପରାଜୟ ଯୋଗୁ ୪ ପଏଣ୍ଟ ସହ ଗ୍ରୁପ୍‌ ‘ଏ’ରେ ୭ମ ସ୍ଥାନକୁ ଖସିଛି। ମୁମ୍ବାଇ ୧୨ ପଏଣ୍ଟ ସହିତ ଏହି ଗ୍ରୁପ୍‌ର ଶୀର୍ଷରେ ରହିଛି।

Share