ବିଜୟ ପଟ୍ଟନାୟକ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଗତ କିଛି ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳଙ୍କ ଦସ୍ତଖତରେ ଶନିବାର ଏ ନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଗତ ଫେବୃୟାରୀ ୧୦ରେ ବିଜୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୬ ବ୍ୟାଚ୍‌ର ଏହି ପୂର୍ବତନ ଆଇଏଏସ୍‌ ଅଧିକାରୀ ୨୦୧୦ ସେପ୍ଟେମ୍ବରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ଓ ୨୦୧୩ରେ ଅବସର ଗ୍ରହଣ କରିଥିଲେ। କଂଗ୍ରେସରେ ଯୋଗଦେବା ପରଠୁ ବିଜୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତିକୁ ସୁଧାରିବା ପାଇଁ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଅନୁଭୂତିକୁ ନେଇ ଦଳ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥିସହିତ ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସର ୨୭ ଜଣିଆ ରାଜନୈତିକ ବ୍ୟାପାର କମିଟି ମଧ୍ୟ ଗଠନ କରାଯାଇଛି। ଏହି କମିଟିରେ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ତାରା ପ୍ରସାଦ ବାହିନୀପତି, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ବିଜୟ ପଟ୍ଟନାୟକ, କିଶୋର ଚନ୍ଦ୍ର ପଟେଲ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଯଜ୍ଞେଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଞ୍ଚାନନ କାନୁନ୍‌ଗୋ, ସପ୍ତଗିରି ଉଲ୍ଲାକା, ସନ୍ତୋଷ ସିଂ ସାଲୁଜା, ବିଶ୍ୱରଞ୍ଜନ ମହାନ୍ତି, ସସ୍ମିତା ବେହେରା, ମହମ୍ମଦ ଜିଆଉଲ ହକ୍‌ , ଶରତ ପ୍ରଧାନ ଏବଂ ଅମିୟ ପଟ୍ଟନାୟକ ପ୍ରମୁଖ ଅଛନ୍ତି। ଏହି କମିଟିରେ ବିସ୍ମୟ ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରାଜ୍ୟର ସମସ୍ତ ଏଆଇସିସି ସମ୍ପାଦକ, ମହିଳା କଂଗ୍ରେସ ସଭାନେତ୍ରୀ, ରାଜ୍ୟ ସେବା ଦଳ ମୁଖ୍ୟ, ଯୁବ କଂଗ୍ରେସ ସଭାପତି ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ରଖାଯାଇଛି।

Share