Categories: ଖେଳ

ସୌରାଷ୍ଟ୍ରକୁ ବିଜୟ ହଜାରେ ଟ୍ରଫି

ଅହମ୍ମଦାବାଦ,୩।୧୨:ଉଇକେଟ କିପର ଶେଲଡନ୍‌ ଜ୍ୟାକସନଙ୍କ ଅପରାଜିତ ଶତକ ବଳରେ ମହାରାଷ୍ଟ୍ରକୁ ୫ ଉଇକେଟରେ ପରାସ୍ତ କରି ବିଜୟ ହଜାରେ ଟ୍ରଫି ହାସଲ କରିଛି ସୌରାଷ୍ଟ୍ର। ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୯ ଉଇକେଟରେ ୨୪୮ ରନ୍‌ କରିଥିଲା। ଅଧିନାୟକ ରୁତୁରାଜ ଗାଏକ୍ୱାଡ ୧୦୮ ରନ ସହିତ ଆଉ ଏକ ଶତକ ହାସଲ କରିଥିଲେ। ଜବାବରେ ଶେଲଡନ ଜ୍ୟାକସନଙ୍କ ଅପରାଜିତ ୧୩୩ ରନ୍‌ ବଳରେ ୪୬.୩ ଓଭରରେ ସୌରାଷ୍ଟ୍ର ୫ ଉଇକେଟ ହରାଇ ମ୍ୟାଚ ଜିତି ନେଇଥିଲା।
ଟସ୍‌ ହାରି ବ୍ୟାଟିଂ କରିଥିବା ମହାରାଷ୍ଟ୍ର ପକ୍ଷରୁ ଗାଏକ୍ୱାଡ କ୍ରମାଗତ ତୃତୀୟ ମ୍ୟାଚରେ ଶତକ ହାସଲ କରିଥିଲେ। ୧୩୧ ବଲ ଖେଳି ୭ ଚୌକା ଓ ୪ ଛକା ମାରିଥିବା ଗାଏକ୍ୱାଡ ୪୨ ତମ ଓଭରରେ ରନ୍‌ଆଉଟ ହୋଇଥିଲେ। ଦଳୀୟ ସ୍କୋର ୧୯୯ରେ ସେ ଆଉଟ ହେବା ପରେ ମହାରାଷ୍ଟ୍ର ଶେଷ ୮ ଓଭରରୁ ମାତ୍ର ୪୯ ରନ୍‌ କରି ୫ ଉଇକେଟ ହରାଇଥିଲା। ସୌରାଷ୍ଟ୍ର ପକ୍ଷରୁ ଚିରାଗ ଜାନି ୩ ଉଇକେଟ ନେଇଥିଲେ। ୨୪୯ ରନର ପିଛା କରୁଥିବା ସୌରାଷ୍ଟ୍ର ପକ୍ଷରୁ ଦୁଇ ଓପନର ଶେଲଡନ ଜ୍ୟାକସନ(୧୩୩*) ଓ ହାର୍ଭିକ୍‌ ଦେଶାଇ(୫୦) ପ୍ରଥମ ଉଇକେଟରେ ୧୨୫ ରନ୍‌ ଯୋଡିଥିଲେ। ଅପରାଜିତ ଶତକ ସହିତ ଦଳକୁ ବିଜୟୀ କରିଥିବା ଜ୍ୟାକସନ୍‌ ୧୩୬ ବଲ୍‌ ଖେଳି ୧୨ ଚୌକା ଓ ୫ ଛକା ମାରିଥିଲେ। ମହାରାଷ୍ଟ୍ର ପକ୍ଷରୁ ମୁକେଶ ଚୌଧାରୀ ଓ ଭିକି ଓସ୍ତଓ୍ବାଲ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଶେଲଡନ ଜ୍ୟାକସନଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଓ ୫ ମ୍ୟାଚରୁ ୪ ଶତକ ସହିତ ୬୬୦ରନ୍‌ କରିଥିବା ଋତୁରାଜ ଗାଏକ୍ୱାଡଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ମହାରାଷ୍ଟ୍ର ୫୦ ଓଭରରେ ୨୪୮/୯(ଋତୁରାଜ ଗାଏକ୍ୱାଡ-୧୦୮, ଅଜିମ କାଜି-୩୭, ନୌଶାଦ ଶେଖ-୩୧*, ଚିରାଗ ଜାନି-୩/୪୩, ଜୟଦେବ ଉନାଡକଟ-୧/୨୫, ପାର୍ଥ ଭୁଟ-୧/୩୫)।
ସୌରାଷ୍ଟ୍ର ୪୬.୩ ଓଭରରେ ୨୪୯/୫ (ଶେଲଡନ୍‌ ଜ୍ୟାକସନ୍‌-୧୩୩*, ହାର୍ଭିକ୍‌ ଦେଶାଇ-୫୦, ଚିରାଗ ଜାନି-୩୦*, ଭିକି ଓସ୍ତଓ୍ବାଲ-୨/୨୦, ମୁକେଶ ଚୌଧାରୀ-୨/୩୮, ଏସ୍‌. ବଚାଭ-୧/୬୬)।

Share