ବିଜୟପାଲ ସିଂ ତୋମାର ଭାଜପାର ଓଡ଼ିଶା ପ୍ରଭାରୀ

ଭୁବନେଶ୍ୱର, ୬।୭(ସୁନିତ୍‌ ମିଶ୍ର): ଭାଜପା ପକ୍ଷରୁ ଶୁକ୍ରବାର ବିଭିନ୍ନ ରାଜ୍ୟ ଲାଗି ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ସେହି କ୍ରମରେ ଓଡ଼ିଶା ପାଇଁ ମଧ୍ୟ ଭାଜପା କେନ୍ଦ୍ରୀୟ ନେତାମାନେ ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ପୂର୍ବଭଳି ବିଜୟପାଲ ସିଂ ତୋମାରଙ୍କୁ ଦଳ ପ୍ରଭାରୀ ଭାବେ ନିଯୁକ୍ତ କରିଥିବା ବେଳେ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି। ନିର୍ବାଚନ ପୂର୍ବରୁ ମଧ୍ୟ ଏହି ୨ ନେତାଙ୍କୁ ଓଡ଼ିଶାର ପ୍ରଭାରୀ ଓ ସହପ୍ରଭାରୀ ଭାବେ ଦଳ ଦାୟିତ୍ୱ ଦେଇଥିଲା। ଉଭୟ ନେତାଙ୍କୁ ପୁଣିଥରେ ସମାନ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ କେରଳର ସହପ୍ରଭାରୀ ଦାୟିତ୍ୱ ପ୍ରଦାନ କରିଛି। ଅନ୍ୟପଟେ ପୁରୀ ଏମ୍‌ପି ସମ୍ବିତ ପାତ୍ରଙ୍କୁ ଦଳ ପକ୍ଷରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଲାଗି ସଂଯୋଜକ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାରୁ ଏହି ୨ ନେତାଙ୍କ ଉପରେ କେନ୍ଦ୍ରୀୟ ନେତା ଭରସା କରିଥିବାବେଳେ ରାଜ୍ୟରୁ ଅନ୍ୟ କାହାକୁ ଉକ୍ତ ଦାୟିତ୍ୱ ତାଲିକା ଭିତରେ ସାମିଲ କରାଯାଇନାହିଁ। ଭାଜପା ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଦସ୍ତଖତରେ ଏ ସମ୍ପର୍କିତ ଚିଠି ଜାରି କରାଯାଇଛି।