Categories: ଜାତୀୟ

ବିକାଶ ଦୁବେ ଏନକାଉଣ୍ଟର: ଭାଇରାଲ ହେଉଛି ଏହି ଆଇପିଏସ୍‌ ଅଧିକାରୀଙ୍କ ପୁରୁଣା ଟୁଇଟ

ନୂଆଦିଲ୍ଲୀ,୧୦।୭: କାନପୁର ଏନ୍‌କାଉଣ୍ଟର ଘଟଣା ପରେ ମୋଷ୍ଟ ଓ୍ବାଣ୍ଟେଡ୍‌ ବିକାଶ ଦୁବେଙ୍କ ଫେରାର ହେବାଠାରୁ ଆରମ୍ଭ କରି ତାଙ୍କ ଗିରଫଦାରୀ ଓ ଏନ୍‌କାଉଣ୍ଟର ଉପରେ ଏବେ ପ୍ରଶ୍ନ ଉଠିଛି। ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟଶେଳୀ ଉପରେ କେବଳ ବିରୋଧୀ ଦଳଗୁଡ଼ିକ ନୁହଁ ବରଂ କିଛି ଅଧିକାରୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ଗୋଟିଏ ଦିନ ପୂର୍ବରୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅମିତାଭ ଠାକୁରଙ୍କ କରିଥିବା ଏକ ପୁରୁଣା ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବିକାଶ ଦୁବେର ଏନ୍‌କାଉଣ୍ଟର ନେଇ ଆକଳନ କରିଥିଲେ। ଗୁରୁବାର ଅମିତାଭ ଟୁଇଟ କରି ଲେଖିଥିଲେ ଯେ, ବିକାଶ ଦୁବେ ଆତ୍ମସମର୍ପଣ କରିଦେଇଛି।

ହୋଇପାରେ ସେ କାଲି ପୋଲିସ ହାଜତରୁ ଖସି ପଳାଇବାକୁ ଉଦ୍ୟମ କରିବ ଏବଂ ତା’ଙ୍କୁ ମାରିଦିଆଯିବ। ଏହିପରି ଭାବେ ବିକାଶଙ୍କ ଅଧ୍ୟାୟ ଶେଷ ହୋଇଯିବ ବୋଲି ଅମିତାଭ ଟୁଇଟରେ କହିଥିଲେ। କିନ୍ତୁ ବିକାଶ ଦୁବେଙ୍କ ଘଟଣାରୁ ସାମ୍ନାକୁ ଆସିଥିବା ଉତ୍ତରପ୍ରଦେଶ ପୋଲିସର ଅସଲ ଚେହେରାକୁ ସଚ୍ଚୋଟତାର ସହ ନିରପେକ୍ଷ ତଥା କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସେ ମତ ପ୍ରକାଶ କରିଥିଲେ। ଶୁକ୍ରବାର ଏନ୍‌କାଉଣ୍ଟର ପରେ ଅମିତାଭଙ୍କ ଏହି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଲୋକମାନେ ଏହି ଟୁଇଟକୁ ରିଟୁଇଟ କରି ଉତ୍ତରପ୍ରଦେଶ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଅପରପକ୍ଷେ ବିକାଶ ଏନ୍‌କାଉଣ୍ଟର ପରେ ଅମିତାଭ ଆଉ ଏକ ଟୁଇଟ କରିଛନ୍ତି। ସେଥିରେ ସେ ପୋଲିସଙ୍କୁ ପ୍ରଶ୍ନ କରି କହିଛନ୍ତି ଏତେ ତରବର ହେବାର କ’ଣ ଥିଲା, କାହାକୁ ରକ୍ଷା କରାଯାଉଛି କି।

Share