ଏହି ଫିଲ୍ମକୁ ୧୦୦ରୁ ଅଧିକ ଥର ଦେଖିଥିଲେ ବିକାଶ ଦୁବେ, ଘଟାଇ ଚାଲିଥିଲେ ଅପରାଧ

ମୁମ୍ବାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଅସଲ ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦିଗ ଫିଲ୍ମ ଷ୍ଟାଇଲ୍‌ରେ ହିଁ ହୋଇଛି। ୧୯୯୯ ମସିହାରେ ରିଲିଜ ହୋଇଥିବା ଏକ ଫିଲ୍ମକୁ ସେ ଥରେ ନୁହେଁ, ୧୦୦ରୁ ଅଧିକ ଥର ଦେଖିଥିଲେ। ଏଥିରେ ଅଭିନୟ କରିଥିବା ଅଭିନେତାଙ୍କ ଚରିତ୍ରକୁ ସେ ବେଶ୍‌ ପସନ୍ଦ କରିଥିଲେ। ଫିଲ୍ମର ଅଭିନେତାଙ୍କ ଅଭିନୟ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ଏହାକୁ ସେ ବାସ୍ତବ ଜୀବନରେ ମଧ୍ୟ ଲଗାଇଥିଲେ।


ପିଲାଦିନରୁ ବିକାଶ କାନପୁରର ଶାସ୍ତ୍ରୀନଗର, କାକାଦେବ, ଗୀତାନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ବଢ଼ିଥିଲେ। ସେ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଥିଲେ। ୧୯୯୯ ମସିହା ବେଳକୁ ସେ ଅପରାଧ ଜଗତରେ ପାଦ ଦେଇସାରିଥିଲେ। ସେତେବେଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅର୍ଜୁନ ପଣ୍ଡିତ’କୁ ସେ ଦେଖିଥିଲେ। ଏହି ଥ୍ରୀଲର ଫିଲ୍ମର ଅଭିନେତା ସନ୍ନି ଦେଓଲ ଏଥିରେ ଏକ ଦମ୍‌ଦାର ଭୂମିକାରେ ଅଭିନୟ କରିଥିଲେ। ଧୋକ୍କା ଖାଇବା ପରେ ସେ ଗ୍ୟାଙ୍ଗ୍‌ଷ୍ଟର ପାଲଟିଥିଲେ। ଆଉ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲେ। ଠିକ୍‌ ସେହିପରି ବିକାଶଙ୍କ ଜୀବନର ଆରମ୍ଭ ହୋଇଥିଲା। ସେ ତାଙ୍କ ଜୀବନରେ ମଧ୍ୟ ବହୁବାର ଧୋକ୍କା ଖାଇଥିଲେ।

ଫିଲ୍ମ ଦେଖିବା ପରଠାରୁ ନିଜ ଜୀବନକୁ ସେହି ଫିଲ୍ମର କାହାଣୀ ପରି ଗଢ଼ିଥିଲେ। ପୋଲିସ ପ୍ରଶାସନ ନିକଟରେ ନିଜକୁ ବିକାଶ ପଣ୍ଡିତ ରୂପରେ ପରିଚୟ ଦେଇଥିଲେ। ଏହି ଫିଲ୍ମକୁ ସେ ୧୦୦ରୁ ଅଧିକ ଥର ଦେଖିଥିଲେ। ଏହାକୁ ବହୁବାର ଦେଖିବା ପରେ ବିକାଶ ତାଙ୍କ ଅସଲ ଜୀବନରେ ସେମିତି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଲେ। ଶେଷରେ ଅପରାଧ ସାମ୍ରାଜ୍ୟର ପତ୍ତନ ଘଟିଛି। ଦୁଇଦିନ ତଳେ ପୋଲିସ ଏନ୍‌କାଉଣ୍ଟରରେ ବିକାଶ ଦୁବେଙ୍କ ପ୍ରାଣହାନି ଘଟିଛି। ଫଳରେ ତାଙ୍କ ଅପରାଧ ଦୁର୍ଗ ଭୁଶୁଡ଼ି ପଡ଼ିଛି।

Share