କାନପୁର,୧୦।୭: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ମୃତଦେହ ବ୍ୟବଚ୍ଛେଦ ସରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ପରିବାରର କୌଣସି ସଦସ୍ୟ ବିକାଶଙ୍କ ମୃତଦେହକୁ ନେବାକୁ ଆସି ନ ଥିଲେ। ଏମିତିକି ତାଙ୍କ ମା’ ଅପରାଧି ପୁଅର ମୃତଦେହକୁ ନେବାକୁ ମନା କରି ଦେଇଥିବା ଜଣାପଡିଛି। ସେ ଲକ୍ଷ୍ନୌରେ ଥିବା ବେଳେ ଏପର୍ଯ୍ୟନ୍ତ କାନପୁର ଆସି ନ ଥିବା କୁହାଯାଉଛି। ଏହାପରେ ସେ ଗଣମାଧ୍ୟମ ସାମ୍ନାକୁ ବି ଆସିନାହାନ୍ତି। ଶେଷରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ବିକାଶଙ୍କ ମୃତଦେହକୁ ତାଙ୍କ ଭିଣୋଇ ଦିନେଶ ତିଓ୍ବାରୀ ସଂସ୍କାର ପାଇଁ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, କାନପୁରର ୮ ପୋଲିସଙ୍କୁ ହତ୍ୟା ଅଭିଯୋଗରେ ବିକାଶଙ୍କୁ ଗୁରୁବାର ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ଗିରଫ କରାଯାଇଥିଲା ଓ ଶୁକ୍ରବାର ପୋଲିସ ଏନକାଉଣ୍ଟରରେ ତାଙ୍କର ମୃତ୍ୟୁ ହୋଇଥିଲା।