ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ହେଲା ବିକାଶ ଆବାସିକ ବିଦ୍ୟାଳୟ: ଜାଣନ୍ତୁ କାହିଁକି

ଭବାନୀପାଟଣା,୨୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିକାଶ ଆବାସିକ ବିଦ୍ୟାଳୟ ଏକ ନୂତନ କୀର୍ତ୍ତିମାନ ହାସଲ କରିବାରେ ସଫଳ ହୋଇଛି। ଚଳିତ ବର୍ଷ ଅଗଷ୍ଟ ୧ ତାରିଖ ‘ସମ୍ବଲପୁରୀ ଦିନ’ ପାଳନ ଅବସରରେ ଅନୁଷ୍ଠାନର ତିନିଶହରୁ ଉଦ୍ଧର୍‌ବ ଛାତ୍ରୀଛାତ୍ରଙ୍କୁ ନେଇ ସାମୁହିକ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ରେ ସ୍ଥାନିତ କରିବା ପାଇଁ ପଠାଯାଇଥିଲା।

ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପାଇଁ ସୋମବାର ଇଣ୍ଡିଆ ବୁକ ଅଫ ରେକର୍ଡସର ପ୍ରତିନିଧି ଡ଼. ବିଭୁତି ବାରିକ ବିକାଶ ଆବାସିକ ବିଦ୍ୟାଳୟକୁ ଆସିଥିଲେ। ସେଠାରେ ପୁଣି ଥରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାମୁହିକ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡସର ପ୍ରତିନିଧି ଖୁସିବ୍ୟକ୍ତ ହେବା ସହ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ଏହି ସାମୁହିକ ସମ୍ବଲପୁରୀ ନୃତ୍ୟ ସ୍ଥାନିତ ହେଲା ବୋଲି ଘୋଷଣା କରିଥିଲେ। ପରେ ବିକାଶ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ଼.ଅଜୟ ମିଶ୍ର, ଭବାନୀପାଟଣା ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ପରମେଶ୍ୱର ମୁଣ୍ଡ, ଓଡିଶା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଡ଼ି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡ଼ି. ପଦ୍ମିନୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ କଣ୍ଟାବାଞ୍ଜି ଅଧ୍ୟକ୍ଷ ବିଶ୍ବରଞ୍ଜନ ରାୟ ପ୍ରମୁଖ ଯୋଗଦେଇ ଥିଲେ।

ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ବକ୍ତବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍‌ ଡ଼.ଅଜୟ ମିଶ୍ର ଅଗଷ୍ଟ ୧ରେ ଅନୁଷ୍ଠିତ ହୋଇଥିବା ଉତ୍ସବରର ସ୍ମୃତି ଚାରଣ କରିଥିଲେ। ଅଧ୍ୟକ୍ଷ ଡ଼. ପରମେଶ୍ୱର ମୁଣ୍ଡ କଳାହାଣ୍ଡିର ଉତ୍କୃଷ୍ଟ କଳାକୁ ଆଗାମୀ ଦିନରେ ବିଶ ଦରବାରରେ ଉପସ୍ଥାପନ କରିବା ନେଇ ମତ ପ୍ରଦାନ କରିଥିଲେ। ଶିକ୍ଷା ପ୍ରଭାରୀ ଡି.ବିଜୟା ଓ ନିର୍ଦ୍ଦେଶକ ଡି.ରାମ କୁମାର ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ର ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ କିପରି କଠୋର ପରିଶ୍ରମ କରିଛନ୍ତି, ଯାହାର ଫଳ ଆଜି ପ୍ରାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ସେହିପରି ବିକାଶ ଇନଷ୍ଟିଚ୍ୟୁସନ ପକ୍ଷରୁ ଇଣ୍ଡିଆ ବୁକ ଅଫ ରେକର୍ଡସର ପ୍ରତିନିଧି ଡ଼.ବିଭୂତି ବାରିକ, ସଙ୍ଗୀତ ଶିକ୍ଷକ ଗଣେଶ ପୃଷ୍ଟି, ନୃତ୍ୟ ଗୁରୁ ଶତାବ୍ଦୀ ନାୟକ ଓ ସିଦ୍ଧେଶର ବେହେରାଙ୍କୁ ଉପଢ଼ୌକନ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ରିଙ୍କି ଶୁକ୍ଳା ଧନ୍ୟବାଦ ଦେଇଥିଲେ। ଇଣ୍ଡିଆ ବୁକ ଅଫ ରେକର୍ଡସକୁ ନେଇ ଅନୁଷ୍ଠାନରେ ଖୁସିର ଲହରୀ ଖେଳିଯାଇଛି।

Share