ନୂଆଦିଲ୍ଲୀ, ୨୯।୧୨: ଗତ ସପ୍ତାହରେ ଚାଇନାରୁ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକାଳ ଶେଷ କରି ଫେରିଥିବା ବରିଷ୍ଠ କୂଟନୀତିଜ୍ଞ ବିକ୍ରମ ମିସ୍ରି ଭାରତର ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍ଏସ୍ଏ) ଭାବେ ନିଯୁକ୍ତ ହୋଇଛନ୍ତି। ସେ ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ସିକ୍ୟୁରିଟି କାଉନ୍ସିଲରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ୍ ଡୋଭାଲଙ୍କ ଅଧୀନରେ କାର୍ଯ୍ୟ କରିବେ।
ବର୍ତ୍ତମାନ ଡେପୁଟି ଏନ୍ଏସ୍ଏ ଥିବା ପଙ୍କଜ ସରନଙ୍କ କାର୍ଯ୍ୟକାଳ ଜାନୁୟାରୀ ୧ରେ ଶେଷ ହେବ। ବିକ୍ରମ ମିସ୍ରି ନୂଆବର୍ଷରେ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ବରିଷ୍ଠ ଆଇପିଏସ୍ ଅଫିସର ରାଜିନ୍ଦର ଖାନ୍ନା ଏବଂ ଦତ୍ତାତ୍ରେୟ ପଡ଼ସାଲଗିକର ଡେପୁଟି ଏନ୍ଏସ୍ଏ ଭାବେ କାର୍ଯ୍ୟରତ ଅଛନ୍ତି।