Categories: ଜାତୀୟ

କଂଗ୍ରେସ କଶ୍ମୀରବାସୀଙ୍କ ଭାବନାକୁ ବୁଝି ପାରୁନାହିଁ: ବିକ୍ରମାଦିତ୍ୟ ସିଂ

ନୂଆଦିଲ୍ଲୀ,୨୩ ।୩: ଦେଶ ସ୍ୱାଧିନତା ସମୟରେ ଜମ୍ମୁ-କଶ୍ମୀରର ମହାରାଜା ଥିବା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପିତା କର୍ନ ସିଂ କଂଗ୍ରେସର ଜଣେ ବରିଷ୍ଠ ନେତା । ବିକ୍ରମାଦିତ୍ୟ ସିଂ ମଙ୍ଗଳବାର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ କି ସେ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି । ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖି କହିଛନ୍ତି ଦଳ ଜମ୍ମୁ-କଶ୍ମୀର ଲୋକଙ୍କ ଭାବନାକୁ ବୁଝିବାକୁ ଅସମର୍ଥ । ମୁଁ ‘ଦ କଶ୍ମୀର ଫାଇଲ୍ସ’ ଦେଖିନାହିଁ ହେଲେ ୧୯୮୯ ପର୍ଯ୍ୟନ୍ତ ଶ୍ରୀନଗରରେ ରହିଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ କଂଗ୍ରେସ ଏବେବି କହୁଛି କଶ୍ମୀରରେ ନରସଂହାର ହୋଇନାହିଁ । ବିକ୍ରମାଦିତ୍ୟ ଫେସବୁକରେ ଲେଖିଛନ୍ତି, ମୁଁ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଉଛି । ଜମ୍ମୁ-କଶ୍ମୀରର ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରାଷ୍ଟ୍ରହିତକୁ ନେଇ ମୋର ସ୍ଥିତି କଂଗ୍ରେସ ସହ ମେଳ ଖାଉ ନାହିଁ । ଦଳ ମୂଳ ବିଷୟରୁ ଦୂରେଇ ଯାଇଛି ।
ବିକ୍ରମାଦିତ୍ୟ ଏକ ପତ୍ରରେ ସୋନିଆ ଗାନ୍ଧୀଙ୍କୁ ଲେଖିଛନ୍ତି, ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ମୁଁ ଭାବୁଛି କଂଗ୍ରେସ ଜମ୍ମୁ ଓ କଶ୍ମୀର ଲୋକଙ୍କ ଭାବନା ଓ ଆକାଂକ୍ଷାକୁ ବୁଝିବାକୁ ଓ ଉପସ୍ଥାପନ କରିବାକୁ ଅସମର୍ଥ ରହିଛି ।

Share