Categories: ଜାତୀୟ

କଂଗ୍ରେସ ଛାଡ଼ିଲେ କରଣ ସିଂଙ୍କ ପୁଅ

ନୂଆଦିଲ୍ଲୀ,୨୩ା୩: ଜମ୍ମୁ-କଶ୍ମୀରର ପ୍ରଥମ ରାଜ୍ୟପାଳ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରଣ ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କଂଗ୍ରେସ ତୃଣମୂଳ ସ୍ତରରେ ବାସ୍ତବତାରୁ ବହୁ ଦୂରରେ ଥିବା ଦର୍ଶାଇ ସେ ଦଳ ଛାଡ଼ିଥିବା ଟୁଇଟରରେ ଦର୍ଶାଇଛନ୍ତି। ଜମ୍ମୁ-କଶ୍ମୀରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ କଂଗ୍ରେସ ତାଙ୍କ ମତାମତ ନେଉ ନ ଥିବା ଜାତୀୟ ସ୍ବାର୍ଥ ପ୍ରତି ଦଳର ଅବହେଳାକୁ ସୂଚାଉଛି ବୋଲି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ବିକ୍ରମାଦିତ୍ୟ ଉଲ୍ଲେଖ କରିଛନ୍ତି। ବିକ୍ରମାଦିତ୍ୟ ହେଉଛନ୍ତି କଶ୍ମୀର ରାଜପରିବାରର ଦାୟାଦ ତଥା ପୂର୍ବତନ ରାଜା ହରି ସିଂଙ୍କ ନାତି। ସେ ୨୦୧୮ରେ କଂଗ୍ରେସରେ ଯୋଗଦେଇ ୨୦୧୯ରେ ଉଦ୍ଧମପୁର ଲୋକ ସଭା ଆସନରୁ ଲଢ଼ିଥିଲେ। ସଦ୍ୟ ଅନୁଷ୍ଠିତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ତାଙ୍କ ଇସ୍ତଫାର ତାତ୍ପର୍ଯ୍ୟ ଥିବା ମନେକରାଯାଉଛି।

Share