ଗାଁ ଚାଷୀଙ୍କ ସାଥୀ ତାଳପତ୍ର ପଖିଆ

ଡେରାବିଶ,୨୪ା୮(ବେବେର୍ତ୍ତା ଅଜୟ ଦାସ)ବର୍ଷାଋତୁ ଆସିଲେ ଚାଷୀଙ୍କ ପାଇଁ ଆବଶ୍ୟକ ପଡେ ତାଳପତ୍ରର ପଖିଆ। ଆଧୁନିକତାର ଚାକଚକ୍ୟ ଭିତରେ ଏବେ ବି ବିଭିନ୍ନ ଗାଁରେ ପଖିଆର ଚାହିଦା ଅକ୍ଷୂର୍ଣ୍ଣ ରହିଛି। ଆଜିର ହାଇକେଟ୍‌ ଯୁଗ ତଥା ପ୍ଲାଷ୍ଟିକର ବହୁଳ ପ୍ରସାର ମଧ୍ୟରେ ପ୍ରାଚୀନ କାଳରୁ ବ୍ୟବହୃତ ପଖିଆକୁ ମୁଣ୍ଡରେ ଦେଇ ଚାଷୀଭାଇମାନେ କ୍ଷେତକୁ କାମ କରିବାକୁ ଯାଇଥାନ୍ତି।
ଡେରାବିଶ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ କାରିଗରମାନେ ପଖିଆ ତିଆରି କରିଥାଆନ୍ତି। ବ୍ଲକ ଅଧୀନ ଚଷାଖଣ୍ଡ ଗ୍ରାମର ରବିନ୍ଦ୍ର ବେହେରା (୬୦) ପ୍ରତିବର୍ଷ ଶତାଧିକ ପଖିଆ ତିଆରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ନିକଟସ୍ଥ ହାଟ ଓ ବଜାରରେ ଦୈନିକ ୧୦ରୁ ୧୫ଟି ପଖିଆ ବିକ୍ରି କରିଥାନ୍ତି। ସେ କୁହନ୍ତି, ଏହା ଆମର କୁଳବେଉସା। ଖରାଦିନେ ତାଳ ଗଛର ମଞ୍ଜପତ୍ରକୁ ଆଣି ଚାରିପାଞ୍ଚ ଦିନ ବାରିରେ ଥିବା ପୋଖରୀର ପଙ୍କ ଭିତରେ ପୋତି ରଖିଥାଉ। ପରେ ପତ୍ରଗୁଡିକୁ ଖରାରେ ଶୁଖାଇବା ପରେ ସାଇତି ରଖିବାକୁ ହୁଏ। ଏହାପରେ ପତ୍ରଗୁଡିକୁ ଆଣି ପଖିଆ ତିଆରି କରିଥାଉ। ତାଳପତ୍ରଗୁଡିକୁ ସରୁପତ୍ରରେ ସିଲେଇ କରି ପଖିଆର ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଥାଏ। ପରିବାର ଲୋକଙ୍କ ସହଯୋଗରେ ଦୈନିକ ୧୦ରୁ ୧୨ଟି ପଖିଆ ତିଆରି କରି ତାକୁ ବିକ୍ରି ପାଇଁ ରଖିବାକୁ ହୁଏ । ବର୍ଷାର ଆରମ୍ଭରେ ପଖିଆ ପାଇଁ ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟ କରି ବିଭିନ୍ନ ହାଟ ବଜାରକୁ ନେଇ ବିକ୍ରି କରିଥାଉ। ଏହି ପଖିଆ ତିଆରି ପାଇଁ ଏକ ଲୁହାର କାତି ଦରକାର ହୋଇଥାଏ। ପଲିଥିନର ଯଥେଷ୍ଟ ଚାହିଦା ଥିଲା ବେଳେ ପଖିଆ ପ୍ରତି ଲୋକଙ୍କ ଆଗ୍ରହ କମି ନ ଥିବା ଅତି ଦୃଢତାର ସହ ରବିନ୍ଦ୍ର କହିଛନ୍ତି। ତାଳଗଛ କ୍ରମଶଃ ଲୋପ ପାଉ ଥିବାରୁ ଏହି କୁଟୀର ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସମସ୍ୟା ଉପୁଜିଛି ା ତେବେ ସରକାରୀ ପ୍ରୋତ୍ସାହନ ଏବଂ ଅଭାବ ପଡୁଥିବା କଞ୍ଚାମାଲ ମିଳିଲେ ଏହି ଶିଳ୍ପକୁ ବଞ୍ଚାଇ ରଖି ହେବ ା ଏ ବିଷୟରେ ଚାଷୀ ଭାଗବତ ମଲ୍ଲିକ କୁହନ୍ତି, ଚାଷ ସମୟରେ ପଖିଆ ମୁଣ୍ଡରେ ଥିଲେ ବଜ୍ରପାତ ଆଶଙ୍କା ଆମ ମନରେ ନ ଥାଏ। କୌଣସି ପରିସ୍ଥିତିରେ ପଖିଆକୁ ଆମେ ପରିତ୍ୟାଗ କରିବାକୁ ଆଜିଯାଏ ପଛାଇ ନାହୁଁ। ପଖିଆ ପତ୍ରରେ ତିଆରି ହୋଇଥିବାରୁ ଏହାର ପ୍ରଭାବରେ ଚର୍ମରୋଗ ହୋଇ ନ ଥାଏ ବୋଲି ଗ୍ରାମର ବରିଷ୍ଠ ନାଗରିକଙ୍କ ମଧ୍ୟରେ ଧାରଣା ବଳବତ୍ତର ଅଛି କଂସାରୀପାଟଣା ଗ୍ରାମର ଦିଗମ୍ବର ମିଶ୍ର କହିଛନ୍ତି। ବର୍ଷା ପୂର୍ବରୁ ଚାଷ ପାଇଁ ପ୍ରତିବର୍ଷ ୨/୩ଟି ପଖିଆ ଆମେ କିଣି ଘରେ ସାଇତି ଥାଉ। ତେବେ ଏହି ପଖିଆ ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ ପ୍ରୋତ୍ସାହନ ବ୍ୟବସ୍ଥା କରାଗଲେ ଏହି ପ୍ରାଚୀନ ଶିଳ୍ପ ନୂତନ ଯୁବପିଢୀଙ୍କ ମଧ୍ୟରେ ବଞ୍ଚି ରୁହନ୍ତା ବୋଲି ଗୋଲରାହାଟ ଗ୍ରାମର ସାହାଜାନ ଖାଁ କହିଛନ୍ତି।
ଏହି ବିଷୟରେ ଡେରାବିଶ ବିଡ଼ିଓ ଦାଶରଥି ଜେନା କୁହନ୍ତି, ଚଳିତ ବର୍ଷ ବ୍ଲକ ଅଞ୍ଚଳରେ ଥିବା ପତିତ ଜମିରେ ବ୍ୟାପକ ତାଳ ଚାରା ରୋପଣ ପାଇଁ ବ୍ୟବସ୍ଥା କରାଯାଇଛି ା ଆବଶ୍ୟକ କଞ୍ଚାମାଲ ମିଳିଲେ ପଖିଆ କାରିଗରମାନେ ଉପକୃତ ହୋଇପାରିବେ ା

Share