ରାଜନଗର,୨୭ା୩ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଗଁାର ଆରାଧ୍ୟା ଗ୍ରାମଦେବତୀ ମା’ ଖରାଖାଇଙ୍କୁ ଜଣେ ମଦ୍ୟପ ଆସ୍ଥାନରୁ ଉଠାଇ ରାସ୍ତାରେ ଫିଙ୍ଗି ଦେବା ସହ ସୁନା, ରୁପା ଅଳଙ୍କାର ଲୁଟି ନେଇଥିବା ରବିବାର ଅଭିଯୋଗ ହୋଇଛି। ଏନେଇ ଗଁାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷେ କୁନା ସେଠୀ ନାମକ ଜଣେ ଯୁବକଙ୍କ ନାମରେ ରାଜନଗର ଥାନାରେ ଅଭିଯୋଗ ହୋଇଛି।
ରବିବାର ଗ୍ରାମଦେବୀ ଖରାଖାଈ ରାସ୍ତା ଉପରେ ପଡିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ପଣ୍ଡିତଙ୍କୁ ଡକାଇ ଦେବନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ଙ୍କୁ ପୁନଶ୍ଚ ସ୍ଥାପନ କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଶନିବାର ରାତିରେ ଗାଁର କୁନା ସେଠୀ ମଦ ପିଇ ମା’ ଖରାଖାଇଙ୍କ ବାରଣ୍ଡାରେ ପଡି ରହିଥିଲେ। ମଧ୍ୟ ରାତ୍ରିରେ ମା’ଙ୍କ ମୂର୍ତ୍ତିକୁ ରାସ୍ତାରେ ଫିଙ୍ଗି ଦେବା ସହ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ପରେ ପୋଲିସ କୁନାଙ୍କୁ ଗିରଫ କରିଛି।