ଗାଁ ପାଲଟୁଛି କରୋନା ହଟ୍‌ସ୍ପଟ୍‌: ସଚେତନତା ଅଭାବରୁ ବଢୁଛି ସଂକ୍ରମଣ…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ସଙ୍କଟ ସୃଷ୍ଟି କରିଛି। ବିଭିନ୍ନ ସହରାଞ୍ଚଳରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ଧୀରେଧୀରେ ଏଭଳି ସ୍ଥିତି ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି। ସହରରେ କରୋନା ମାର୍ଗଦର୍ଶିକା ପାଳନ ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯିବା ସହିତ ଅମାନିଆଙ୍କ ଲାଗି ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ଫଳରେ ସହରଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି ହୋଇପାରୁଥିବାବେଳେ ଗ୍ରାମାଞ୍ଚଳରେ ଏଭଳି ହୋଇ ପାରୁ ନ ଥିବାରୁ ଗାଁ ଗୁଡ଼ିକ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିବାରେ ଲାଗିଛି। ଫଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହର ଏବେ ଗାଁ ମୁହାଁ ହେବାଯୋଗୁ କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, କେରଳ, ତାମିଲନାଡ, ଛତିଶଗଡ଼ ଆଦି ରାଜ୍ୟରେ ଗ୍ରାମାଞ୍ଚଳରେ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶର ଆଗ୍ରା ଜିଲାର ଏତ୍ମାଦ୍‌ପୁର ଏବଂ କୁରଗଓ୍ବାଁ ଗାଁରେ ଗତ ୨୦ ଦିନ ମଧ୍ୟରେ ୬୪ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛିି। ମୃତକମାନଙ୍କୁ ଥଣ୍ଡା,ଜ୍ୱର, କାଶ ହେଉଥିଲା। କେତେକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଭଳି ଲକ୍ଷଣକୁ ସେମାନେ ଅଣଦେଖା କରିଥିଲେ। ସେମାନେ କରୋନା ଲକ୍ଷଣ ସମ୍ପର୍କରେ ସଚେତନଥିଲେ ହୁଏତ ଏଭଳି ସ୍ଥିତି ସୃଷ୍ଟି ହୋଇ ନଥାନ୍ତା ବୋଲି କୁହାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ଗ୍ରାମାଞ୍ଚଳର ବିଭିନ୍ନ ଗାଁକୁ ସାନିଟାଇଜ୍‌ କରାଯିବା ସହିତ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି। ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରାଯାଉଛି।

Share