ଓଡ଼ିଶାରେ ରହିଛି ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ପୁଣି ଏମିତି କେତେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ଅନେକଙ୍କ ପାଇଁ ଅଜଣା ହୋଇପାରେ । ଏହାକୁ ଗ୍ରାମ୍ୟ ପର୍ଯ୍ୟଟନ କୁହାଯାଇପାରେ। ଏପରି ସ୍ଥାନକୁ କେମିତି ଯିବା, କ’ଣ ଦେଖିବା, ଖାଦ୍ୟ ଓ ରହଣିର ସୁବ୍ୟବସ୍ଥା କିପରି ଇତ୍ୟାଦି ଜାଣିବାକୁ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ। ତେବେ ଅତିଥିମାନେ ବୁଲିଆସୁଥିବା ପର୍ଯ୍ୟଟନ ସ୍ଥାନର ପ୍ରାକୃତିକ ଶୋଭାକୁ ଉପଭୋଗ କରିବା ସହିତ ସେହି ଅଞ୍ଚଳର କଳା, ସଂସ୍କୃତି, ଭାଷା ଓ ଚଳଣି ବିଷୟରେ ଅନେକ କିଛି ଜାଣିବାର ସୁଯୋଗ ପାଇଥାନ୍ତି। କିନ୍ତୁ ଗ୍ରାମ୍ୟ ପର୍ଯ୍ୟଟନରେ ରହିଛି ନିଆରା ଆକର୍ଷଣ, ଯାହାକି ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିଥାଏ। ଓଡ଼ିଶାରେ ଥିବା ସେପରି କେତେକ ପର୍ଯ୍ୟଟନ ସ୍ଥାନ ସମ୍ପର୍କରେ।
ସୌନ୍ଦର୍ଯ୍ୟକରଣ ଦେଲା ଗାଁର ନିଆରା ପରିଚୟ:- ଭୁବନେଶ୍ୱରରୁ କଣ୍ଟିଲୋ ରାସ୍ତାରେ ଭାୟା ଗଣିଆ ଦେଇ ପ୍ରାୟ୧୧୮କିମି ଦୂରରେ ପଡ଼େ ସାତକୋଶିଆ ସ୍ୟାଣ୍ଡ ରିସର୍ଟ, ଇକୋ ଭିଲେଜ ମୁଦୁଲିଗାଡ଼ିଆ। ଏଠାର ପର୍ଯ୍ୟଟନ ପାଇଁ କାର୍ଯ୍ୟ କରୁଥିବା ପରିବେଶ ବିକାଶ ସମିତିର ସଭ୍ୟା/ସଭ୍ୟମାନେ ନିଜ ନିଜ ମଧ୍ୟରେ ଦାୟିତ୍ୱ ବଣ୍ଟନ କରି ପ୍ରତିଦିନ ପ୍ରାୟ ସକାଳୁ ସକାଳୁ ଗାଁକୁ ସଫାସୁତୁରା ରଖିଥାନ୍ତି। ପ୍ରତି କଟେଜରେ ୨ଜଣ ଲେଖାଏ, ଡାଇନିଂରେ ଜଣେ, ଇକୋଗାଇଡରେ ଜଣେ ଏବଂ ଗ୍ରୁପ ଭିଜନରେ ୩ଜଣ ସଭ୍ୟ ରୁହନ୍ତି। ପ୍ରକାଶ ବେହେରା କୁହନ୍ତି,‘ଏଠାକୁ ଆଗମନ କରୁଥିବା ଅତିଥିମାନଙ୍କୁ ପ୍ରବେଶ ଗେଟ୍ରେ ସଭ୍ୟାସଭ୍ୟଙ୍କ ଦ୍ୱାରା ପ୍ରଥମେ ଫୁଲଚନ୍ଦନ ପ୍ରଦାନ ସହ ଉତ୍ତମ ବ୍ୟବହାର ଓ ସେବା କରାଯାଇଥାଏ। ଗାଁର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ପରିବେଶ ସୁରକ୍ଷା, ସ୍ବଚ୍ଛତା ଓ ଗ୍ରାମକୁ ସୌନ୍ଦର୍ଯ୍ୟକରଣ ପାଇଁ ଗଛମୂଳେ ସିମେଣ୍ଟର ପିଣ୍ଡି ତିଆରି ହୋଇଛି। ଗଛରେ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକର ବ୍ୟବହାର କରାଯାଇଥାଏ। ଗାଁର ପ୍ରାୟ ସମସ୍ତଙ୍କ ଘରକୁ ଗୋଟିଏ ରଙ୍ଗରେ ସଜାଇଥାନ୍ତି। ଏଥିସହ ଓଡ଼ିଆ ଘରର ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ପ୍ରତିଟି ଘରେ ଝୋଟି, ବିଭିନ୍ନ କଳାକୃତିକୁ ଚିତ୍ରଣ କରାଯାଇଥାଏ। ଅଳିଆ ଆବର୍ଜନାକୁ ଦୂରେଇ ରଖିବା ପାଇଁ ପ୍ରତି ପରିବାରରେ ଡଷ୍ଟବିନ, ପାଇଖାନା ବ୍ୟବହାର ସହିତ ବାହ୍ୟ ମଳମୂତ୍ରକୁ ବାରଣ କରାଯାଇଥାଏ। ରୋଷେଇ ପାଇଁ ଗ୍ୟାସ ଓ ପାନୀୟଜଳର ସୁବ୍ୟବସ୍ଥା କରାଯାଇଥାଏ। ଗ୍ରାମର ଅନତୀ ଦୂରରେ ରହିଛି ସାତକୋଶିଆ ବଡ଼ମୂଳ ସ୍ୟାଣ୍ଡ ରିସର୍ଟ। ନିକଟରେ ଥିବା ସାତକୋଶିଆ ଗଣ୍ଡରେ ନୌକାବିହାର, ସୁରକ୍ଷିତ ସନ୍ତରଣ, ସନ୍ଧ୍ୟାରେ ଲୋକନୃତ୍ୟ, ଖେଳ, ଲାଇବ୍ରେରି, ଜଙ୍ଗଲ ଟ୍ରେକିଂ, ସାଇକେଲିଂ, କ୍ୟାମ୍ପ ପାୟାର, ଦେଶୀ ସ୍ବାଦିଷ୍ଟ ଖାଦ୍ୟ ବ୍ୟବସ୍ଥା ହୋଇଥାଏ। ଆଗରୁ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିଲେ, ଏବେ ଏହାର ସୁରକ୍ଷା କରି ପରିବେଶ ପର୍ଯ୍ୟଟନ ଦ୍ୱାରା ଚଳୁଛନ୍ତି। ଅତିଥି ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟରେ ଆକୃଷ୍ଟ କରିବା ସହିତ ହସ୍ତଶିଳ୍ପର କଳାକୃତିକୁ ବିକ୍ରିକରି ଅନେକ ରୋଜଗାରର ପନ୍ଥା ଆପଣେଇଥାନ୍ତି। ଅନ୍ୟପକ୍ଷେ ଏଠାକୁ ଆସୁଥିବା ପଯ୍ୟଟକଙ୍କୁ କୋଭିଡ଼ ଗାଇଡ଼ଲାଇନ ମାନିବାକୁ ପଡ଼ିଥାଏ।’
ପରିବେଶ ସୁରକ୍ଷା ଦେଲା ପର୍ଯ୍ୟଟନର ନାଁ :- ଅନୁଗୋଳ ଜିଲାର ଟିକରପଡ଼ା – ସାତକୋଶିଆ ଅଭୟାରଣ୍ୟ ୭କୋଶ, ପ୍ରାୟ ୨୧କି.ମି. ଦୂର। ଆଠଗଡ଼ ଦେଇ ଅନୁଗୋଳ ଆସିଲେ ଏଠାରୁ ଟିକରପଡ଼ା ପ୍ରାୟ ୬୫କି.ମି. ଦୂରହେବ । ମହାନଦୀର ଉଭୟ ପାର୍ଶ୍ୱରେ ଥିବା ଛୋଟବଡ଼ ପର୍ବତମାଳା, ବିରଳ ଘଞ୍ଚଜଙ୍ଗଲ, ଜୈବବିବିଧତା, ଝରଣା, ନାଳ, ପାହାଡ଼ ଏବଂ ବିଭିନ୍ନ ଜାତିର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳେ। ଏହି ଅଭୟାରଣ୍ୟଟି ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳଭାବେ ସରକାରୀ ମାନ୍ୟତା ପାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସାତକୋଶିଆ ପର୍ଯ୍ୟଟନ ବିକାଶ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଅତିଥିଗୃହର ବ୍ୟବସ୍ଥା ରହିଛି। ଗ୍ରାମବାସୀ ଓ ଜଙ୍ଗଲ ପରିଚାଳନା ନୀତିରେ ଏହାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି।ପର୍ଯ୍ୟଟକମାନଙ୍କ ପାଇଁ ଦେଶୀଘର, ବାଉଁଶଘର, ତମ୍ବୁଘର ରହିଛି, ପୁରୁଣାକୋଟ୍ର ଛୁଟକେଇ ନେଚର କ୍ୟାମ୍ପରେ ଟେଣ୍ଟଘର, କଟେଜ ରହିଛି। ପର୍ଯ୍ୟଟକଙ୍କୁ ରହିବା ପାଇଁ ଦେୟ ଦେବାକୁ ପଡ଼ିଥାଏ। ଜଗନ୍ନାଥପୁର ତରଭାଠାରେ ମଧ୍ୟ କେତୋଟି ଗୃହ ରହିଛି। ଏଥିସହିତ ସ୍ବତନ୍ତ୍ର ଘର ପାଇଁ ସ୍ବତନ୍ତ୍ର ଦେୟ ଦେବାକୁ ପଡ଼େ। କୋଠଭୂଇଁ ପଞ୍ଚାୟତର ବାଘମୁଣ୍ଡା, ନରସିଂହପୁରର କମଳାଡିହଠାରେ ନେଚରକ୍ୟାମ୍ପ ଗୃହ ରହିଛି। ଏହି ଅଞ୍ଚଳର ଆଦିବାସୀ ଗାଁ ବା ପଡ଼ାର ବାସିନ୍ଦାଙ୍କ ପାରମ୍ପରିକ ନୃତ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସାତକୋଶିଆରେ ପର୍ଯ୍ୟଟକଙ୍କୁ ବୁଲେଇବା ଏବଂ ସେହି ସ୍ଥାନ ସମ୍ପର୍କରେ ବିଭିନ୍ନ ଜଣାଅଜଣା କଥା ଜଣାଇବା ପାଇଁ ଗାଇଡ୍ ରହିଛନ୍ତିି, ଯାହା କି ସ୍ଥାନୀୟବାସୀଙ୍କୁ ଏଥିରେ ସାମିଲ କରାଯାଇଥାଏ।
ଶିଳ୍ପୀ ଗ୍ରାମରେ ପର୍ଯ୍ୟଟକଙ୍କ ଭ୍ରମଣ :- ବିଭିନ୍ନ ପାରମ୍ପରିକ ଚିତ୍ର ଅଙ୍କନ କରି ଓଡ଼ିଶା କଳାସଂସ୍କୃତିକୁ ସମୃଦ୍ଧ କରିବାରେ ପୁରୀ ଜିଲାର ଐତିହ୍ୟ ଗ୍ରାମ ରଘୁରାଜପୁର ଶିଳ୍ପୀମାନଙ୍କ ସ୍ବତନ୍ତ୍ର ପରିଚୟ ରହିଛି। । ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଚିତ୍ରକୁ ତାଳପତ୍ରରେ ଲିଖନ ଦ୍ୱାରା ଖୋଦେଇକରି ଦେଶୀୟ ପଦ୍ଧତିରେ ରଙ୍ଗଦେଇ ଅଙ୍କନ କରିଥାନ୍ତି। ଏହି ଅଞ୍ଚଳର ଜାତୀୟସ୍ତରୀୟ ପୁରସ୍କାରପ୍ରାପ୍ତ ତାଳପତ୍ର ଖୋଦେଇ ଚିତ୍ରଶିଳ୍ପୀ ବିଶ୍ୱନାଥ ସ୍ବାଇଁ କୁହନ୍ତି, ଆଜକୁ ପ୍ରାୟ୧୯୮୫ମସିହାରୁ ଏହି କାମ କରିଆସୁଛି। ଏଥିରେ ମୋ ପରିବାରର ଅନ୍ୟମାନେ ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ କେତେକ ପୁଅଝିଅ ମଧ୍ୟ ତାଳପତ୍ର ଖୋଦେଇ ଚିତ୍ର ଶିକ୍ଷାର ତାଲିମ ନେଉଛନ୍ତି। ଗାଁରେ କେତେକ ଶିଳ୍ପୀ ନିଜର ଜୀବିକାଭାବେ ଏହି କାର୍ଯ୍ୟ କରୁଛନ୍ତି। ପ୍ରାୟ ଗୋଟିଏ ଗୋଟିଏ ତାଳପତ୍ର ଚିତ୍ରର ମୂଲ୍ୟ ୨ଶହ ଟଙ୍କାରୁ ଆରମ୍ଭକରି ୨୦ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ। ତାଳପତ୍ର ଚିତ୍ରକୁ ବିକ୍ରି ପାଇଁ ରଘୁରାଜପୁର ସମେତ ବିଭିନ୍ନ ହସ୍ତଚିତ୍ର ଶିଳ୍ପ ମେଳାକୁ ନିଆଯାଇଥାଏ। ଏପରି କି ଦିଲ୍ଲୀ, ବମ୍ବେ, ପୁରୀ, ଭୁବନେଶ୍ୱର ଆଦି ସ୍ଥାନରେ ବିକ୍ରି ହୋଇଥାଏ। ଏହି ପରମ୍ପରାକୁ ବଞ୍ଚେଇବାର ପ୍ରୟାସ ଚାଲୁ ରଖିଛୁ। ଏଥିଯୋଗୁ ରଘୁରାଜପୁରକୁ ଶିଳ୍ପୀ ଗ୍ରାମର ମାନ୍ୟତା ମିଳିଛି। ମାତ୍ର ବିଭିନ୍ନ ସମୟରେ ଏଠାକୁ ଆସୁଥିବା ପଯ୍ୟଟକମାନେ ତାଳପତ୍ରରେ ତିଆରି କଳାକୃତି କିଣିଥାନ୍ତି। ତେବେ ଭଗବାନ ସ୍ବାଇଁ କୁହନ୍ତି, ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ଼ ଗାଇଡ଼ଲାଇନ ଅନୁସାରେସ୍ ଅତିଥି ଏବଂ ଶିଳ୍ପୀମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତାକୁ ମାନି ଗାଁରେ ଚଳୁଛୁ।
ବିହଙ୍ଗ ସୁରକ୍ଷାରୁ ପର୍ଯ୍ୟଟନ କ୍ଷେତ୍ର:-ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ଚିଲିକା ଉପକୂଳବର୍ତ୍ତୀ ମଙ୍ଗଳାଯୋଡ଼ି ଗାଁର ଚିଲିକାରେ ପକ୍ଷୀସୁରକ୍ଷା ହେବାରୁ ଏହି ଅଞ୍ଚଳର ଶୋଭା ବଢ଼ିଲା। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବା ପାଇଁ ଅନ୍ୟଦିନ ଅପେକ୍ଷା ବିଶେଷକରି ଶୀତରୁତୁରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ। ଜୟ ବାରିକ କୁହନ୍ତି, ଏଠାରେ ପର୍ଯ୍ୟଟକମାନେ ବିଶ୍ରାମ ନେବା ପାଇଁ ଗ୍ରାମୀଣ ଶୈଳୀରେ କେତୋଟି ଗୃହ ନିର୍ମାଣ ହୋଇଛି। ପର୍ଯ୍ୟଟକମାନଙ୍କ ରାତି ଏବଂ ଦିନରେ ରହିବା ପାଇଁ ବ୍ୟବସ୍ଥା ହୋଇଥାଏ। ଯାତ୍ରୀଙ୍କ ରୁଚି ଅନୁଯାୟୀ ଆମିଷ ଖାଦ୍ୟ ଓ ଅଲଗା ଜଳପାନ ଖର୍ଚ୍ଚ ଦେବାକୁ ପଡ଼ିଥାଏ। ଦେଶୀଡଙ୍ଗାରେ ମଙ୍ଗଳାଯୋଡ଼ି ବିହଙ୍ଗ ବିହାରରେ ପରିଦର୍ଶନ କରିପାରିବେ। ଶଶାଙ୍କ ଶେଖର ଦାଶ କୁହନ୍ତି ମଙ୍ଗଳାଯୋଡ଼ିର ବିହଙ୍ଗବିହାର ପଯର୍ୟଟନ ପାଇଁ ଏହି ଗ୍ରାମର ଅନେକ ପରିବାର ଚଳୁଛନ୍ତି। ବୋଟ୍, ଗାଇଡ୍, ବୋଟ୍ମ୍ୟାନ ବ୍ୟବସ୍ଥା ରହିଛି ଏବଂ ଡଙ୍ଗାରେ ଦୂରତାରଖି ମାତ୍ର ୩ଜଣଙ୍କୁ ନେଇ ବୁଲାଇଥାଉ। ଟାଙ୍ଗି ବନ୍ୟାଞ୍ଚଳ ଅଧିକାରୀ ଚୂଡ଼ାରାଣୀ ମୁର୍ମୁ କୁହନ୍ତି, ୧୯୯୬ ମସିହାଠାରୁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ପକ୍ଷୀସୁରକ୍ଷା ଲୋକଙ୍କୁ ରୋଜଗାର ଦେଉଛି। ଚିଲିକା ଓ୍ବାଇଲ୍ଡ ଲାଇଫ ଡିଭିଜନ ତରଫରୁ ପକ୍ଷୀସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସିଡିଏ ତରଫରୁ ବିଭିନ୍ନ ଜନସଚେତନତା କରାଯାଇଥାଏ। ମଙ୍ଗଳାଯୋଡ଼ିକୁ ରେଳରେ ଆସିଲେ ବାଲୁଗାଁ, କାଳୁପଡ଼ାଘାଟ କିମ୍ବା ଖୋର୍ଦ୍ଧାରେ ଓହ୍ଲାଇ ଟ୍ୟାକ୍ସି ଯୋଗେ ଆସିପାରିବେ। ସେହିପରି ବସ୍ରେ ଆସିଲେ ଟାଙ୍ଗୀରେ ଓହ୍ଲାଇ ଅଟୋରେ ଆସିପାରିବେ। ଏଠାକୁ ଆସୁଥିବା ଅତିଥି ପର୍ଯ୍ୟଟକଙ୍କ ପରିଚୟ ଓ ଠିକଣାକୁ ଏକ ସୂଚନାଫର୍ମରେ ଲିପିବଦ୍ଧ କରାଯାଇଥାଏ । ଅତିଥିକୋଠରି ଭିତର ଓ ବାହାରକୁ ସାନିଟାଇଜ୍ କରାଯାଇଥାଏ। ଅନ୍ୟପକ୍ଷେ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ସ୍ବଚ୍ଛତା, ମାସ୍କ, ସାନିଟାଇଜର ବ୍ୟବହାର ଇତ୍ୟାଦିକୁ ନଜର ଦେଇଥାଉ। ଗାଁରେ ଇକୋ ଟୁରିଜମ କମିଟି ଜରିଆରେ ଜନସଚେତନତା କରାଯାଇଥାଏ।
ଗାଁ ଲୋକଙ୍କୁ ନେଇ ଇକୋ ରିଟ୍ରିଟ୍: – ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ତରଫରୁ ୨୦୨୦ରେ ସ୍ବତନ୍ତ୍ରଭାବେ କୋଣାର୍କର ରାମଚଣ୍ଡୀ ସି ବିଚ୍, ଭିତରକନିକା, ଦାରିଙ୍ଗବାଡ଼ି, ସାତକୋଶିଆ ଏବଂ ହୀରାକୁଦକୁ ଇକୋରିଟ୍ରିକ ଭାବେ କାର୍ଯ୍ୟ କରିଛନ୍ତି। ଅତିଥିମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ଲକ୍ଜ୍ୟୁରି କଟେଜ୍, ଆରାମଦାୟକ ରହଣି, ଦେଶୀ ସ୍ବାଦିଷ୍ଟ ଖାଦ୍ୟ, ଓଡ଼ିଶାର କଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଆଦି ନିକଟରୁ ଜାଣିବାର ସୁଯୋଗ ରହିଛି। ଏହାସହ ଟ୍ରେଙ୍କି, ଜଙ୍ଗଲ ସଫାରି, ସ୍କିଡବୋଟ, ଜେଟ୍ସ୍କି, ଇ-ସାଇକେଲିଂ, ଭାସମାନ ଫ୍ଲାଟଫର୍ମରେ ବୁଲିବାର ମଜା ନେଇପାରିବେ। ଚଳିତ ବର୍ଷରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ମାସ ଯାଏ ଚାଲିବ। ଭୁବନେଶ୍ୱର ପର୍ଯ୍ୟଟନ ବିଭାଗ ଅଧିକାରୀ ଅଜୟ କୁମାର ରାଉତ କୁହନ୍ତି, ଏମିତି ସ୍ଥାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ଼ ଗାଇଡ଼ଲାଇନ ମାନି ମାସ୍କ ବ୍ୟବହାର, ସ୍ବଚ୍ଛତା, ହ୍ୟାଣ୍ଡଓ୍ବାଶ ଇତ୍ୟାଦି ବ୍ୟବହାର କରିବାକୁ ପଡ଼ିଥାଏ। ଅନ୍ୟପକ୍ଷେ ଏମିତି ପରିସ୍ଥିତିରେ ବଣଭୋଜି ପାଇଁ ବାରଣ କରାଯାଇଛି।
‘ଶରଣା’ ଗ୍ରାମ୍ୟ ପଯର୍ୟଟନର ଭିନ୍ନ ପ୍ରୟାସ- ଓଡ଼ିଶାର ଗ୍ରାମ୍ୟକଳା, ସଂସ୍କୃତି ଏବଂ ଆଦିବାସୀଙ୍କ ଚଳଣି ସମ୍ପର୍କରେ ଜାଣିବା ସହିତ ଲୋକଲୋଚନ ଆଢୁଆଳରେ ଥିବା କେତେକ ନୂତନ ପର୍ଯ୍ୟଟନ ସ୍ଥାନକୁ ଚିହ୍ନିବା ପାଇଁ ‘ଶରଣା’ ନାଁରେ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ପାଇଁ ପ୍ରୟାସ ଜାରିରଖିଛି। ରୋଜାଲିନ୍ ଦାସ କୁହନ୍ତି, ଏଥିରେ ପ୍ରତ୍ନତତ୍ତ୍ୱବିତ୍ ଜିତୁ ମିଶ୍ର, ଡ. ସୁଶ୍ରୀ ମହାନ୍ତି ପ୍ରମୁଖ ପ୍ରଥମେ ଉଦ୍ୟମ କରିଥିଲେ। ତେବେ ଶରଣା-ମୁଣ୍ଡାରି ଭାଷାରେ ଏହାର ଅର୍ଥ ପବିତ୍ର ସ୍ଥାନ। ମାତ୍ର ଭ୍ରମଣ ପାଇଁ ଏହି ଯାତ୍ରାରେ ଯେକୌଣସି ବ୍ୟକ୍ତି ସାମିଲ ହୋଇପାରିବେ। ଛୋଟ ପିଲାଙ୍କ ପାଇଁ କର୍ମଶାଳା, ସ୍ଥାନୀୟ ଲୋକଙ୍କ ଲୋକକଳା, ହସ୍ତଶିଳ୍ପକୁ ନେଇ କାହାଣୀ ଶୁଣିବାର ସୁଯୋଗ ରହିଛି। ଯୁବପିଢ଼ିଙ୍କ ପାଇଁ ନେଚର କ୍ୟାମ୍ପ, ଫଟୋଗ୍ରାଫି, ଆଦିବାସୀଙ୍କ ଜୀବନଶୈଳୀ ଉପରେ ଗବେଷଣା କରିବାର ସୁଯୋଗ ପାଇପାରିବେ। ଲୋକଙ୍କ କୌଳିକବୃତ୍ତି ଓ ସେଠାର ପରିବେଶ ସମ୍ପର୍କରେ ଜାଣିହେବ। ଏପରି ପର୍ଯ୍ୟଟନରେ ଶିକ୍ଷା, ସ୍ବାସ୍ଥ୍ୟ, ପାରମ୍ପରିକ କଳା, ସାମଗ୍ରୀ, ନୃତ୍ୟ, କ୍ରୀଡ଼ା ଓ ଜୀବିକା ଉପାର୍ଜନର ପନ୍ଥା ମିଳିପାରେ। କନ୍ଧମାଳର ବେଲଘର, ତୁମୁଡ଼ିବନ୍ଧ ପରି କେତେକ ଗ୍ରାମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଗ୍ରାମୀଣ ପର୍ଯ୍ୟଟନର ଉପକାରିତାକୁ ଜାଣିହେବ। ପାଙ୍ଗା କନ୍ଧ ଓ କୁଟିଆ କନ୍ଧଙ୍କ ଜୀବନଶୈଳୀକୁ ବି ଜାଣିହେବ। ଏମିତି କାର୍ଯ୍ୟକ୍ରମରେ ପର୍ଯ୍ୟଟନର ନିଆରା ଅନୁଭବ କରିହେବ। ଏଥିରୁ ସ୍ଥାନୀୟ ଲୋକମାନେ କିପରି ଲାଭବାନ ହୋଇପାରିବେ। ଏବେ ଗୋଟିଏ ଗାଡ଼ିରେ ମାତ୍ର ୪/୫ଜଣ ପର୍ଯ୍ୟଟକଙ୍କୁ ବୁଲେଇବା ପାଇଁ ପଦକ୍ଷେପ ନେଇଛୁ। ମାଟିଘରେ ରହିବାର ବ୍ୟବସ୍ଥା କରାଯାଇଥାଏ। ମାତ୍ର ଭ୍ରମଣ ପୂର୍ବରୁ ଅତିଥି ପଯର୍ୟଟକଙ୍କୁ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ସ୍ବାସ୍ଥ୍ୟସୁରକ୍ଷା ପ୍ରତି ନଜର ରଖି ସ୍ବଚ୍ଛତା, ମାସ୍କ,ସାନଟାଇଜର ବ୍ୟବହାର , ଜନଗହଳିିଠାରୁ ଦୂରେଇବା ଇତ୍ୟାଦିକୁ ନଜର ଦେଇଥାଉ।
ଗାଁ ଲୋକଙ୍କ ବଣଭୋଜି ସ୍ଥାନ-ଖୋର୍ଦ୍ଧାଜିଲା ଚିଲିକାବ୍ଲକର ଚିଲିକା-ନିମନାନାସି ଏକ ସୁନ୍ଦର ପ୍ରାକୃତିକ ପରିବେଶ। ଏଠାକୁ ପଯର୍ୟଟକମାନେ ନିଜସ୍ବ ଉଦ୍ୟମରେ ବଣଭୋଜି ପାଇଁ ଆସିଥାନ୍ତି। ତେବେ ନିକଟରେ ଏକ ସରକାରୀ ନଡ଼ିଆଫାର୍ମ ରହିଛି । ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ମା କାଳିଜାଇଙ୍କ ମନ୍ଦିର ନିର୍ମାଣ ହୋଇଛି। ବିନୋଦ ସାମଲ କୁହନ୍ତି ଏଠାରେ ରାତ୍ର ରହଣିର ସୁବ୍ୟବସ୍ଥା ହୋଇପାରିନାହିଁ। ବର୍ତ୍ତମାନ ବଣଭୋଜି ପାଇଁ କଟକଣା ରହିଛି ।ଆଖପାଖ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ କୋଭିଡ଼ ଗାଇଡ଼ଲାଇନ ମାନିବା ଜରୁରୀ।
ଆଦିବାସୀଙ୍କ ଗାଁରେ ଦେଶିଆ ପର୍ଯ୍ୟଟନ:- ପ୍ରାକୃତିକ ପରିବେଶରେ ଆଦିବାସୀଙ୍କ ଜୀବନଶୈଳୀକୁ ଜାଣିବା ଏବଂ ଦେଶୀ ଖାଦ୍ୟପଦାର୍ଥ ପ୍ରତି ମନବଳାଇଲେ ଆପଣଙ୍କୁ କୌଣସି ଆଦିବାସୀ ପଲ୍ଲୀକୁ ଯିବାକୁ ହେବ। ମାତ୍ର କୋରାପୁଟ ଜିଲାର ଡ଼ୁଡ଼ୁମା ଡ୍ୟାମ୍ ଅଞ୍ଚଳରେ ରହିଛି ବନ୍ତଳବିରି ଗାଁ । ଏଠାରେ ଦେଶିଆ ନାଁରେ ଦାୟିତ୍ୱବୋଧକ ପର୍ଯ୍ୟଟନର ବ୍ୟବସ୍ଥା କରାଯାଇଛି । କୁଶ ମାଛ କୁହନ୍ତି – ସ୍ଥାନୀୟ ଅଞ୍ଚଳର ଆଦିବାସୀ ଓ ହରିଜନ ସମ୍ପ୍ରଦାୟର କେତେଜଣ ଲୋକଙ୍କୁ ନେଇ ଏହା ପରିଚାଳିତ। ଏଠାକୁ କୌଣସି ଅତିଥିଙ୍କ ଆଗମନ ହେଲେ ସମ୍ପୂର୍ଣ୍ଣ ପାରମ୍ପରିକ ପଦ୍ଧତିରେ ପ୍ରଥମେ ମୁଣ୍ଡରେ ଟିକା ଲଗାଇ, ମହୁରି ବଜାଇ ଆତିଥ୍ୟ କରାଯାଇଥାଏ। ପରେ ମାଣ୍ଡିଆ ପିଠା, ଜାଉ, ଲେମ୍ବୁ, ହଳଦୀ ଓ ମହୁର ପଣା ଦିଆଯାଇଥାଏ। ସୁଆଁ ଖିରି, ବାଉଁଶନଳିରେ ଦେଶୀ କୁକୁଡ଼ାମାଂସକୁ ପୋଡ଼ାଯାଇ ପରଷା ଯାଇଥାଏ। ଜଗୁ ଖିଲ କୁହନ୍ତି, ଅତିଥିମାନେ ଆଦିବାସୀଙ୍କ ସାପ୍ତାହିକ ହାଟ, ବିଭିନ୍ନ ହସ୍ତକଳା, ଚାଷ, ମାଛଧରା ସହିତ ସାମିଲ ହୋଇପାରିବେ ଏବଂ ଇଚ୍ଛାକଲେ ସେମାନଙ୍କ ପରିବାରରେ ଭୋଜନ କରିପାରନ୍ତି। ସ୍ଥାନୀୟ ଅଞ୍ଚଳର ମନ୍ଦିର, ପାହାଡ଼କୁ ବୁଲିପାରନ୍ତି। ଅତିଥିମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ମାଟିର ଘର ହୋଇଛି। ଗ୍ରାମ୍ୟ କଳା, ସଂସ୍କୃତି ଓ ପଲ୍ଲୀପ୍ରକୃତିକୁ ଦେଖିବା ପାଇଁ ବର୍ଷର ସବୁ ସମୟରେ ଏଠାରେ ରହିଛି ଦେଶିଆର ନିଆରା ପର୍ଯ୍ୟଟନ ବିଭବ। ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ଭ୍ରମଣରେ ଆସୁଥିବା ପଯ୍ୟଟକମାନଙ୍କୁ କୋଭିଡ଼ ଗାଇଡ଼ଲାଇନ ମାନିବାକୁ ପଡ଼ିଥାଏ।
-ବନବିହାରୀ ବେହେରା