ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଓଡିଶାର ପଶ୍ଚିମ ପ୍ରାନ୍ତ ବା କୋଶଳାଞ୍ଚଳରେ ଧୁମ୍ଧାମ୍ରେ ପାଳନ କରାଯାଏ ଗଣପର୍ବ ନୂଅଁାଖାଇ। ବହୁ ଦିଗରୁ ଏହା ଏକ ଅନନ୍ୟ ପର୍ବ ବା ତିହାର୍। ମୁଖ୍ୟତଃ ଏହା ଏକ କୃଷିପର୍ବ ହୋଇଥିଲେ ମଧ୍ୟ ପରମ୍ପରା କ୍ରମେ ଏହା ପଶ୍ଚିମ ଓଡିଶାବାସୀଙ୍କ ସାମାଜିକ ଏବଂ ସାଂସ୍କୃତିକ ପରିଚିତିର ତିହାର୍ ପାଲଟି ଯାଇଛି। ଭାଦ୍ରବ ମାସରେ ଆସେ ନୂଅଁାଖାଇ ତିହାର୍। ଅଁାଟ୍, ମାଲ୍, ବେର୍ଣ୍ଣା ଭଳି ଉଚ୍ଚ ଜମିରେ କମ୍ ଅବଧିର ଧାନଚାଷ କରାଯାଏ। ସରିଅଁା ଧାନ୍ ଏହି କିସମ୍ର ଧାନ ମଧ୍ୟରୁ ଅନ୍ୟତମ। କଥାରେ ଅଛି- ଭୁଦୋ ମାସର୍ ଖରା, ବାଘ ନାଇଁ ଖାଏ ଚରା। ଏଭଳି ଏକ କଷ୍ଟସାଧ୍ୟ ସମୟରେ ଚାଷୀ ମୁହଁରେ ହସ ଭରିଦିଏ କ୍ଷେତରେ ଲହସି ଉଠୁଥିବା ଧାନକେଣ୍ଡା। ଚାଷୀ ପ୍ରଥମ ଅନ୍ନକୁ ଇଷ୍ଟଦେବୀ, ଗ୍ରାମ ଦେବାଦେବୀ ଏବଂ ପୂର୍ବପୁରୁଷଙ୍କୁ ଅର୍ପଣ କରେ। ପରେ ପରିବାରର ସମସ୍ତ ସଦସ୍ୟ ମିଳିମିଶି ନୂଅଁା ଅନ୍ନ ବା ନୂଅଁାକୁଣ୍ଡା ସେବନ କରନ୍ତି। ପରିବାରରେ ବଡ ମାନଙ୍କୁ ଛୋଟମାନେ ମୁଣ୍ଡିଆ ମାରି ସମ୍ମାନ ଓ ଭକ୍ତି ପ୍ରକାଶ କରନ୍ତି। ବଡମାନେ ସ୍ନେହ ଓ ଆଶୀର୍ବାଦ ଅଜାଡି ଦିଅନ୍ତି। ପରେ ଆରମ୍ଭ ହୁଏ ଜୁହାର୍ ଭେଟ୍ ପର୍ବ।
ନୂଅଁାଖାଇ ବାସ୍ତବରେ ଏକ ଆକର୍ଷଣର ତିହାର୍। ଯେତେ ଦୂରଦୂରାନ୍ତରରେ ଥିଲେ ମଧ୍ୟ ପରିବାର ଲୋକେ ନୂଅଁାଖାଇ ପାଇଁ ଗଁା ଓ ଘର ମୁହଁା ହୁଅନ୍ତି। ଘରକୁ, ଗାଁକୁ ଫେରିବାକୁ ଯେମିତି ବ୍ୟାକୁଳ ହୁଅନ୍ତି। ଏଣୁ ନୂଅଁାଖାଇକୁ ଗଁା ଓ ଘର ଫେରା ତିହାର୍ ବୋଲି ମଧ୍ୟ କୁହାଯାଏ। ଏହି ସମୟରେ ନିଜ ଗାଁ ଓ ସହରକୁ ପ୍ରାୟ ସମସ୍ତେ ଫେରୁଥିବାରୁ ପିଲାଦିନର ସାଙ୍ଗସାଥୀ, ଭାଇବନ୍ଧୁଙ୍କ ଏହା ଏକ ମହାମିଳନ ପର୍ବ ହୋଇଥାଏ। ଗାଁ ଓ ଘର ଚଳଚଞ୍ଚଳ ହୋଇଉଠେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଗୀତର ଆସର ଜମେ। ଭାଦ୍ରବର ତୀକ୍ଷ୍ମ ଖରା ଭଳି ଝଲସି ଉଠେ ମାନବୀୟ ସମ୍ବେଦନ। ଧାନ କିଆରିରେ ଲହସୁ ଥାଏ ନୂଆକେଣ୍ଡା ଧରିଥିବା ଧାନଗଛ। ଠିକ୍ ସେହିପରି ମଣିଷର ଭାବୋଚ୍ଛ୍ବାସରେ ଲହସୁ ଥାଏ ଘର, ଗାଁ ରାସ୍ତାଘାଟ। ମଣିଷ କର୍ମମୁଖର ହୋଇ ଯେଉଁଠି ଥିଲେ ବି ଜନ୍ମମାଟି, ଘର, ଗାଁକୁ ଯେ ଭୁଲିପାରେ ନାହିଁ ଏହି ଅନୁଭବ ଦେଇଥାଏ ନୂଅଁାଖାଇ।
ସମୟ ବଦଳୁଛି। ତା’ ସହ ବଦଳୁଛି ଆଚାର, ବ୍ୟବହାର, ପ୍ରଥା, ପରମ୍ପରା ଓ ସଂସ୍କୃତି। ବିଭିନ୍ନ କାରଣରୁ ଅନେକ ଲୋକ ଆଉ ଗାଁକୁ ଫେରୁନାହାନ୍ତି। କର୍ମସ୍ଥଳରେ କିମ୍ବା କେଉଁ ଏକ ବଡ ସହରରେ ଘରଟିଏ କରି ରହିଯାଉଛନ୍ତି। ଅନେକଙ୍କର ଇଚ୍ଛା ଥିଲେ ବି ପରିସ୍ଥିତି ଚାପରେ ପଡି ଗାଁକୁ ଆଉ ଫେରିପାରୁ ନାହାନ୍ତି। ସମୟର ଧାବମାନ ସ୍ରୋତରେ ମଣିଷ ସହ ପ୍ରଥା ପରମ୍ପରା ବି ବଦଳି ଚାଲିଛି। ହେଲେ ନୂଅଁାଖାଇ ତିହାର୍ର ମୌଳିକତା ନଷ୍ଟ ହୋଇନାହିଁ। ଆଜିବି ଏହା ଏକ ଅନନ୍ୟ ଆକର୍ଷଣର ପର୍ବ ହୋଇ ଆସିରହିଛି।
– ବୀରେନ୍ଦ୍ର କୁମାର ଝାଙ୍କର, ବଲାଙ୍ଗୀର