ଭୋଗରାଇ,୧୯ ।୬(ଡି.ଏନ.ଏ.): ମାଟି ହେଉଛି ପ୍ରକୃତିର ଦାନ। ଏହି ମାଟିରେ ଆମେ ବହୁ ଲହୁ ଲୁହ ଦେଇ ଜୀବନ ନିର୍ବାହ କରୁଛୁ। ଧୂ ଧୂ ବାଲିପନ୍ତାରେ ଖରାବର୍ଷାକୁ ଖାତିର ନ କରି ପାନ ବରଜ, କାଜୁ, ନଡ଼ିଆ, କୁକୁଡ଼ା ଫାର୍ମ କରି ପରିବାର ପ୍ରତିପୋଷଣ କରୁଛୁ। ଏହି ମାଟି ଆମ ଗରିବ ଗୁରୁବାଙ୍କ ଜୀବନ ଜୀବିକାକୁ ନିର୍ଦ୍ଧାରଣ କରୁଛି। ସରକାର ଜୋର ଜବରଦସ୍ତ କରି ଆମକୁ ଏଠାରୁ ଉଚ୍ଛେଦ କଲେ ମରିବୁ ପଛେ ଆମ ଭିଟାମାଟି ଛାଡ଼ିବୁ ନାହଁି ବୋଲି ପ୍ରଶାସନକୁ ଋଣ ହୁଙ୍କାର ଦେଇଛନ୍ତି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଅଭୟମହଲର ଗ୍ରାମବାସୀ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ପ୍ରସ୍ତାବିତ ୨୧୨ କୋଟିର ଦ୍ୱିତୀୟ ମେଗା ପାନୀୟଜଳ ପ୍ରକଳ୍ପ ନିମନ୍ତେ ପ୍ରଶାସନ ପକ୍ଷରୁ ଗତ ୨୯।୧୦।୨୧ରେ ରାଜସ୍ବ ବିଭାଗ ଓ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଲଗାତର ଭାବେ ସେଠାରେ ପାନୀୟ ଜଳ ପ୍ରକଳ୍ପ ସ୍ଥାନାନ୍ତର ଦାବିରେ ଦିବାରାତ୍ର ଗ୍ରାମବାସୀମାନଙ୍କ ପକ୍ଷରୁ ଆନ୍ଦୋଳନକୁ ତେଜିୟାନ କରାଯାଇଥିଲା। ଗ୍ରାମବାସୀଙ୍କ ମେଳି ଓ ଉତ୍ତେଜନାକୁ ଲକ୍ଷ୍ୟ ରଖି ପ୍ରଶାସନ ସହିତ ପାନୀୟ ଜଳ ପ୍ରକଳ୍ପ କମ୍ପାନୀ ଜାଗା ଅଧିଗ୍ରହଣ ପାଇଁ ସାହସ କରିପାରି ନ ଥିଲେ। ଦୀର୍ଘ ୮ମାସ ନୀରବତା ପରେ ହଠାତ୍ ଗତ ଶୁକ୍ରବାର ସନ୍ଧ୍ୟାରେ ଭୋଗରାଇ ତହସିଲଦାର, ପାନୀୟଜଳ ପ୍ରକଳ୍ପ କମ୍ପାନୀର ଅଧିକାରୀ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କରୁଥିବା ବେଳେ ଶତାଧିକ ଗ୍ରାମବାସୀ ଉପସ୍ଥିତ ହୋଇ ପ୍ରତିବାଦ କରିଥିଲେ। ଗ୍ରାମବାସୀଙ୍କ ସହିତ ପ୍ରଶାସନର କଥା କଟାକଟି ହେବାରୁ ସ୍ଥିତି କ୍ରମଶଃ ଜଟିଳ ହୋଇ ପଡ଼ିଥିଲା। ଦୀର୍ଘ ସମୟ ଏଭଳି ସ୍ଥିତି ଲାଗିବାରୁ ଆନ୍ଦୋଳନକାରୀ ଗ୍ରାମବାସୀମାନେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ। ପୋଲିସ ଲାଠି ଧରି ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ପ୍ରସ୍ତୁତ ରହିଥିବାର ନଜରକୁ ଆସିଥିଲା। ପରିସ୍ଥିତିକୁ ଉପଲବ୍ଧତ୍ କରି ପ୍ରଶାସନ ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲା। ଶନିବାର ପୂର୍ବାହ୍ନରେ ପ୍ରକଳ୍ପ ସ୍ଥାନରୁ ଗ୍ରାମବାସୀଙ୍କ ପକ୍ଷରୁ ପୁଣି ଦିବାରାତ୍ର ଅନଶନ ଚାଲୁ ରହିଥିବାର ସୂଚନା ମିଳିଛି।