Advertisement

ନିମ୍ନମାନର ରାସ୍ତା କାମକୁ ପୁଣି ବିରୋଧକଲେ ଗ୍ରାମବାସୀ

ଦଶମନ୍ତପୁର,୧୦ା୧୨ (ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ନିମ୍ନମାନର ରାସ୍ତା ନିର୍ମାଣକୁ ମୁର୍କାର ପଞ୍ଚାୟତ ଗାଦିଖାଲ ଗ୍ରାମବାସୀ ବିରୋଧ କରିଛନ୍ତି। ଦଶମନ୍ତପୁର ପଞ୍ଚାୟତ ବାଣୁଆଗୁଡା ପିଡବ୍ଲ୍ୟୁଡି ରାସ୍ତାରୁ ମୁଣ୍ଡାଝୋଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଛି। ୭ କି.ମି. ଦୂରତା ବିଶିଷ୍ଟ ଏହି ରାସ୍ତାରେ ବାଣୁଆଗୁଡା, ଗାଦିଖାଲ, ଡୁଡିଝୋଲା, ମୁଣ୍ଡାଝୋଲା, ମୁର୍କାର ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ବହୁ ଦାବି ପରେ ସରକାର ଏହି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ଲାଗି ୫ କୋଟି ୨୮ ଲକ୍ଷ ୨୯ ହଜାର ୫୭୩ ଟଙ୍କା ମଞ୍ଜୁର କରିଥିଲେ। ଏହି କାର୍ଯ୍ୟକୁ ଗୁପ୍ତେଶ୍ୱର କନଷ୍ଟ୍ରକ୍ସନ କରୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ତଦାରଖ ଦାୟିତ୍ୱରେ ଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାରୁ ପିଚୁ ଉଠିଗଲାଣି। ଶୁଖିଲା ଚିପିସ ଉପରେ ଅଳ୍ପ ପିଚୁ ଦେଇ କାମ ହୋଇଛି। ପ୍ରଥମେ ଭଲ କାର୍ଯ୍ୟ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ନ ଆସିବା ଯାଏ ଆମେ କାମ କରାଇ ଦେବୁନାହିଁ ବୋଲି ଏମ୍‌ପି ପ୍ରତିନିଧି ରାଜେନ୍ଦ୍ର ହୁଇକାଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଦାର ଦାଶଙ୍କୁ ପଚାରିବାରୁ ସେ କହିଲେ, ବର୍ତ୍ତମାନ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ନେଇ କେତୋଟି ନିୟମ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାରେ ପ୍ରଥମେ ଫାଇମର ତେଲ ଦେଲା ପରେ ଶୁଖିଲା ଚିପିସ ଉପରେ ପିଚୁ ଢଳାଯିବ। ଭଜା ପିଚୁ ଦେଇ ରୋଲର୍‌ ମଡାଯିବ ବୋଲି ସେ କହିଛନ୍ତି। ତେବେ କିଛି ସମୟ ପରେ ଠିକାଦାର ଗ୍ରାମବାସୀ ସହ ଆଲୋଚନା କରି ପୁଣି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share