ଭୋଟ ବର୍ଜନ କରିବେ ନଦୀ କୂଳିଆ ଗ୍ରାମବାସୀ

ପାପଡ଼ାହାଣ୍ଡି,୨୦ା୧୦(ଡି.ଏନ୍‌.ଏ.): ପ୍ରତ୍ୟେକ ବର୍ଷ ନିର୍ବାଚନ ଆସିଲେ ନଦୀରେ ପୋଲଟିଏ ହେବା ଲାଗି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମିଳେ। ନିର୍ବାଚନ ସରିଗଲେ ଗାଁରେ ଆଉ କାହାର ପାଦ ପଡ଼େନାହିଁ। ନଦୀରେ ଯାତାୟାତ ଲାଗି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନଦୀ ପାର୍ଶ୍ୱସ୍ଥ ଗ୍ରାମବାସୀ। ତେଣୁ ପୋଲ ନ ହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଭୋଟର।

ଏପରି ଏକ ସମସ୍ୟା ଦୀର୍ଘଦିନ ହେଲା ରହିଆସିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସୀମାନ୍ତ ମାଝିଗୁଡ଼ା ପଞ୍ଚାୟତ ଓ ଝରିଗାଁ ବ୍ଲକ ଚେପିଟିଆମ୍ବ ପଞ୍ଚାୟତ ଯାଇଥବା ଅଙ୍ଗିନଦୀ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ। ମାଝିଗୁଡ଼ା ପଞ୍ଚାୟତର ଲଦି, ଗୀର୍ଲ୍ଲାଗୁଡା, ବଣ୍ଡକା ଲଦି, ମୁଣ୍ଡାଗୁଡ଼ା ଓ ଝରିଗାଁ ବ୍ଲକର ଚେପିଟିଆମ୍ବ, କରମଚନ୍ଦ ଗୁଡ଼ା, ଚିତାପାରା ଗାଁର ପ୍ରାୟ ୪ ହଜାର ଭୋଟର ଆଗାମୀ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅଙ୍ଗୀ ନଦୀରେ କୌଣସି ପୋଲ ହୋଇ ନ ଥିବାରୁ ଉଭୟ ପାର୍ଶ୍ୱରେ ବସବାସ କରୁଥିବା ପ୍ରାୟ ୪୦୦୦ ଲୋକଙ୍କ ଜୀବନ ଉପରେ ପ୍ରଭାବ ପଡୁଛି। ଏହି ନଦୀ ଦେଇ ପ୍ରସିଦ୍ଧ କେଲିଆ ଶୈବପୀଠ ନିକଟତମ ହୋଇଥିବାରୁ କଳାହାଣ୍ଡିରୁ ଭକ୍ତ ଯିବା ଆସିବା କରିଥାନ୍ତି। ଲଦି ଗ୍ରାମରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଯାଏ ପିଲାମାନେ ପାଠ ପଢ଼ିବେ। ପୁଣି ଅଷ୍ଟମ ଶ୍ରେଣୀ ପଢ଼ିବାକୁ ହେଲେ ଉକ୍ତ ନଦୀ ଡେଇଁ ଜୀବନକୁ ବାଜିଲଗାଇ ନଦୀ ଅପରପାର୍ଶ୍ୱ ଚେପଟିଆମ୍ବ ଗାଁକୁ ପିଲାମାନେ ଯାଉଛନ୍ତି। ଅତ୍ୟଧିକ ଜଳପ୍ରଭାବ ହେଲେ ପିଲାଙ୍କ ପାଠପଢ଼ା ବନ୍ଦ। ଉକ୍ତନଦୀରେ ପଡ଼ି କେତେ ଗୋରୁଗାଈ ଭାସି ଗଲେଣି ତ କେତେ ଲୋକ ପଡ଼ି ଗୋଡ଼ହାତ ଭାଙ୍ଗିଲେଣି।

ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ଏହି ବିଷୟରେ ଅବଗତ ଅଛନ୍ତି। କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ। ଚଳିତ ମାସ ଶେଷ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିଲେ ଆସନ୍ତା ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ନଦୀ ଉଭୟ ପାର୍ଶ୍ୱର ଗ୍ରାମବାସୀ ମନଧର ପୂଜାରୀ, ମନବୋଧ ଯାନୀ, ଅର୍ଜୁନ ଯାନୀ, ଧୋବା ଯାନୀ (ୱାର୍ଡ ମେମ୍ବର ), ମିନାକ୍ଷୀ ହରିଜନ, ହରି ଗଉଡ଼, ଆନନ୍ଦ ହିଆଲ, କୁମର ଯାନୀ ପ୍ରମୁଖ କଡ଼ା ଚେତାବନୀ ଦେଇଛନ୍ତି।

Share