ମହିଳାଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ଗ୍ରାମବାସୀ: ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ

ଭବାନୀପାଟଣା/ଜୁନାଗଡ଼, ୨୭।୧୧(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଚିଚୈଗୁଡ଼ା ଗ୍ରାମରେ ରବିବାର ଜଣେ ବିଧବା ମହିଳାଙ୍କୁ ଘରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମୃତା ମହିଳାଙ୍କ ନାମ ପଦ୍ମାବତୀ ମେହେର(୪୦)। ସେ ଘରେ ଏକୁଟିଆ ରହୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ହତ୍ୟା କରିଥିବା ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ କରିଛନ୍ତି।

ଏହି ଘଟଣାର ପାରିପାର୍ଶ୍ୱକ ସ୍ଥିତିକୁ ଦେଖିଲେ ଏହା ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ଜୁନାଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ ମୃତ ମହିଳାଙ୍କ ବାପ ଘର ନକଟିଗୁଡା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ଏହାକୁ ହତ୍ୟାକାଣ୍ଡ ବୋଲି କହିବା ସହ ଠିକ୍‌ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନଚେତ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ପୋଲିସ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ପଦ୍ମାବତୀ ନିଜେ ପୋଡ଼ି ହୋଇ ଆତ୍ମହତ୍ୟା କଲେ ବୋଲି ପୋଲିସ କହୁଥିବା ବେଳେ ଏପଟେ ତାଙ୍କ ଘରକୁ ଲାଗି ଅନେକ ଘର ଥିବାବେଳେ ଉକ୍ତ ପରିବାର ଲୋକେ କେହି ମଧ୍ୟ ରାତିରେ ପଦ୍ମାବତୀଙ୍କ ଚିତ୍କାର ଶୁଣି ନ ପାରିବା, ଗୋଟିଏ ସ୍ଥାନରେ ପଦ୍ମାବତୀଙ୍କ ମୃତଦେହ ଓ ଜଳିଥିବା ପାଉଁଶ ରହିଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଥା କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ସତ୍ୟତା ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।