ପୋଲିସକୁ ଚୋର ଭାବି ପିଟିଲେ ଗ୍ରାମବାସୀ

କୋରାପୁଟ/ମାଲକାନଗିରି,୧୫ା୫(ସ୍ବ.ପ୍ର./ଡି.ଏନ.ଏ.): ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ରାତିରେ ଧରିବାକୁ ଯାଇଥିବା ମାଲକାନଗିରି ପୋଲିସକୁ ସ୍ଥାନୀୟ ଗ୍ରାମବାସୀ ଚୋର ଭାବି ଆକ୍ରମଣ କରିଛନ୍ତି। କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅଧୀନ ମାଟିଖାଲ ଗ୍ରାମରେ ଏପରି ଘଟଣା ଘଟିଛି।

ମାଟିଖାଲ ଗ୍ରାମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇ ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଗ୍ରାମକୁ ୩୦ଜଣିଆ ଏକ ଟିମ୍‌ ପଠାଇଥିଲେ। ସାଦା ପୋଷାକରେ ଥିବା ପୋଲିସ ସମ୍ପୃକ୍ତ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲା। ଗ୍ରାମବାସୀ ପୋଲିସକୁ ଜାଣି ନ ପାରି ଚୋର ଭାବି ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ପୋଲିସ ବ୍ୟବହାର କରିଥିବା ୨ଟି ମୋଟରସାଇକେଲକୁ ଭଙ୍ଗାରୁଜା କରିଥିଲେ। ପରେ ପୋଲିସ ଫାଙ୍କା ଗୁଳିଚଳାଇ ସେଠାରୁ ଖସି ଆସିଥିଲା। ତେବେ ପ୍ରଦୀପ ନାୟକ ନାମକ ଜଣେ କନଷ୍ଟେବଳଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ପରେ ମାଛକୁଣ୍ଡ ପୋଲିସ ଖବର ପାଇ ପ୍ରଦୀପଙ୍କୁ ଉଦ୍ଧାର କରିଥିଲା। ତେବେ ମାଲକାନଗିରି ପୋଲିସ ମାଛକୁଣ୍ଡ ପୋଲିସକୁ ନ ଜଣାଇ ଚଢ଼ାଉ କରିବାରୁ ଏପରି ଅପ୍ରୀତିକର ଘଟଣା ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି।