ଜୁନାଗଡ଼,୪।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିଶ୍ରମିକ ଟଙ୍କା ଧରି ଫେରୁଥିବା ବେଳେ ରାସ୍ତାରେ ୨ ଯୁବକଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମରାଯାଇଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ ଥାନା ସାନଫୁର୍ଲା ଗ୍ରାମରେ।
ସୂଚନା ଅନୁଯାୟୀ, ଜୁନାଗଡ ଥାନା ବଳଦିଆମାଲ ଗ୍ରାମର ଯୁଗସନ ପରାଭୋଇ ଓ ତାଙ୍କ ସମ୍ପର୍କୀୟ ଭାଇ ମଧୁ ପରାଭୋଇ ମଙ୍ଗଳବାର କାଲୋପଲା ଗ୍ରାମକୁ କାମ କରିଥିବା ପାରିଶ୍ରମିକ ଟଙ୍କା ମାଗିବାକୁ ଯାଇଥିଲେ। ସେଠାରୁ ସେମାନେ ପାରିଶ୍ରମିକ ଟଙ୍କା ଧରି କେନାଲ ରାସ୍ତା ଦେଇ ଫେରୁଥିବା ବେଳେ ସାନଫୁର୍ଲାଠାରେ ଶୋଷ ହେବାରୁ ଗ୍ରାମର ଏକ ନଳକୂପକୁ ପାଣି ପିଇବାକୁ ଯାଇଥିଲେ। ଏହି ସମୟରେ ଗ୍ରାମର କେତେଜଣ ଲୋକ ହଠାତ୍ ତାଙ୍କୁ ଚୋର ଭାବି ଏକ କ୍ଲବ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ। ଏପରି କି ତାଙ୍କ ଟଙ୍କା, ବାଇକ୍, ମୋବାଇଲ ମଧ୍ୟ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ସେମାନେ ନିଜ ଠିକଣା ଦେଲେ ବି ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ଜୁନାଗଡ ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ବିନାଦୋଷରେ ସାନଫୁର୍ଲା ଗ୍ରାମର କେତେଜଣ ଲୋକ ତାଙ୍କୁ ମାଡ ମାରିଥିବାରୁ ଏ ନେଇ ଯୁଗସେନ ଜୁନାଗଡ ଥାନାରେ ବୁଧବାର ସନ୍ଧ୍ୟାରେ ଅଭିଯୋଗ କରିଥିଲେ। ଏହି ଘଟଣା ନେଇ ବଳଦିଆମାଲ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ଶତାଧିକ ଗ୍ରାମବାସୀ ମାଡ ମାରିଥିବା ସାନଫୁର୍ଲା ଗ୍ରାମର ସମ୍ପୃକ୍ତ ବ୍ୟକ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ ଦାବିରେ ଥାନା ଆଗରେ ବିକ୍ଷୋଭ କରିିଥିଲେ। ଜୁନାଗଡ ଆଇଆଇସି ଉତ୍ତମ କୁମାର ସାହୁ ଖୁବଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଥାନାରୁ ହଟିଥିଲେ।