ରାତିରେ ଚାଉଳ ବୋଝେଇ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଲାଠୋର୨୪।୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କନ୍ଦେଇଛାପର ଗ୍ରାମବାସୀ ଏକ ଚାଉଳ ବୋଝେଇ ଗାଡ଼ିକୁ ଗୁରୁବାର ରାତିରେ ଅଟକ ରଖି ଲାଠୋର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଖପ୍ରାଖୋଲ ବିଡ଼ିଓଙ୍କୁ ଘଟଣା ବିଷୟରେ ଅବଗତ କରିଥିଲା।

ଗୁରୁବାର ଖପ୍ରାଖୋଲ ଯୋଗାଣ ଅଧିକାରୀ ବେନ୍ଦେର ଏବଂ ଲାଠୋର ପଞ୍ଚାୟତକୁ ପିଡିଏସ ଚାଉଳ ଏକ ମିନି ଟ୍ରକ ନଂ.ଓଆର-୦୩-ସି-୯୨୩୫ ଯୋଗେ ପଠେଇ ଥିଲେ l ଗାଡ଼ି ବେନ୍ଦର ପଞ୍ଚାୟତରେ ୮୧ ବ୍ୟାଗ ଚାଉଳ ଅନ୍‌ଲୋଡ କରି ଲାଠୋର ପଞ୍ଚାୟତକୁ ୯୯ ବ୍ୟାଗ ଚାଉଳ ନେଇ ଆସୁଥିବା ବାଟରେ କୌଣସି କାରଣ ବଶତଃ କିଛି ସମୟ ଅଟକି ପୁଣି ଲାଠୋର ଅଭିମୁଖେ ବାହାରିଥିଲା।

ହେଲେ ବାଟରେ କନ୍ଦେଇଛାପର ଗ୍ରାମବାସୀ ପିଡିଏସ୍‌ ଚାଉଳ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଲାଠୋର ପୋଲିସକୁ ଖବର ଦେଇଥିଲେ l ଥାନା ଅଧିକାରୀ ରାକେଶ ବେହେରା ତଦନ୍ତ ପାଇଁ ଦୁଇ ଜଣ ଏଏସ୍‌ଆଇଙ୍କୁ ପଠେଇ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ବିଡ଼ିଓ ଯୋଗାଣ ଅଧିକାରୀ ବିକାଶ ବାର୍ଲାଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ହେଲେ ଯୋଗାଣ ଅଧିକାରୀ ଘଟଣା ସ୍ଥଳକୁ ନିଜେ ନ ଆସି ବେନ୍ଦେର ସରପଞ୍ଚଙ୍କ ସ୍ବାମୀଙ୍କୁ ପଠେଇ ଥିଲେ l ସେ ପହଞ୍ଚିବା ପରେ ଚାଉଳ ବ୍ୟାଗ ଗଣା ଯିବାରୁ ୯୯ ବେଗ ଚାଉଳ ସହ ଏସି ନୋଟ(ରସିଦ) ମିଳିଥିଲା। ଫଳରେ ଚାଉଳ ଚୋରା ଚାଲାଣ ହେଉ ନ ଥିବା ଜଣା ପଡିଥିଲା।

ପରେ ପୋଲିସ ଉକ୍ତ ଗାଡିକୁ ଛାଡ଼ିବାରୁ ଲାଠୋର ଯୋଗାଣ ସହାୟକ ତୁଲାରାମ ମେହେର ରିସିଭ କରିଥିଲେ। ଶୁକ୍ରବାର ସକାଳେ ଚାଉଳ ଅନଲୋଡ୍‌ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share