Categories: ଜାତୀୟ

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ…

ଶ୍ରୀନଗର, ୩।୭ : ଜମ୍ମୁ-କଶ୍ମୀରର ରେସି ଜିଲାରେ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଜଣ ସଶସ୍ତ୍ର ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଏହା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି। ସେମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେମାନେ ଆକ୍ରମଣ କରିବାର ଉଦ୍ଦେଶ୍ୟ ନେଇ ଜିଲାକୁ ଆସିଥିବା ସ୍ପଷ୍ଟ ହୋଇଥିବା ପୋଲିସ କହିଛି।

ଏହାପୂର୍ବରୁ ଜୁଲାଇ ୧ ରେ ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଜବତ କରାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଆଧାରରେ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଘେରାବନ୍ଦୀ କାର୍ଯ୍ୟକ୍ରମ ହୋଇଥିଲା। ସନାଟ ନାଗର ଚକ-ରଙ୍ଗ୍ରେଥ ରୋଡ ଅଞ୍ଚଳର ଏଭଳି ଏକ ଚେକପଏଣ୍ଟରେ ଅନୁସନ୍ଧାନ ବେଳେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ତାଙ୍କ ପାଖରୁ ପିସ୍ତଲ ଏବଂ କିଛି ଗୁଳି ଜବତ ହୋଇଥିବା ଅଧିକାରୀ କହିଛନ୍ତି।

ଗିରଫ ଆତଙ୍କବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ସହରର ପାମ୍ପୋର ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା ଯେଉଁଥିରେ ଆଉ ଜଣେ ଆତଙ୍କବାଦୀ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ତିନୋଟି ପିସ୍ତଲ ଏବଂ ଅନ୍ୟାନ୍ୟ ଗୁଳି ଜବତ କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ କହିଛି।

Share