ଶୁଣିଲାନି ପ୍ରଶାସନ, କେନାଲ ସଫାକଲେ ଗ୍ରାମବାସୀ

ଖଜୁରିପଡ଼ା,୪ା୯(ବିଦୁର ବେହେରା): ଦୀର୍ଘ ଦିନରୁ ଶାଖା କେନାଲ ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ଜମି ଫସଲ ସୁରକ୍ଷା ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ି କେନାଲ ସଫା କଲେ। ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତର ନବଗୁବା ଗ୍ରାମରେ ଶ୍ରାବଣ ମାସର ଲଗାଣ ବର୍ଷାରେ ଚାଷୀମାନେ ଧାନ ଚାଷ କରିଛନ୍ତି। କିନ୍ତୁ ଶାଖା କେନାଲ ମରାମତି ହେଉ ନ ଥିବା ଯୋଗୁ ଚାଷ ଜମିକୁ ପାଣି ପହଞ୍ଚି ପାରୁ ନାହିଁ। ଏ ନେଇ ନବଗୁବା ଗ୍ରାମବାସୀ ଇରିଗେଶନ ବିଭାଗକୁ ଜଣାଇଛନ୍ତି କିନ୍ତୁ ବୈଶାଖ, ଜ୍ୟେଷ୍ଠ ମାସ ବିତି ଯାଇଥିଲେ ସୁଦ୍ଧା କେନାଲ ସଫା କି ମରାମତି କରାଗଲା ନାହିଁ; ଯଦ୍ଦ୍ବାରା ଚାଷ ଉପଯୋଗୀ କେନାଲ ପାଣି ନଦୀରେ ବୋହି ଯାଉଛି। ପିଲା ସାଲୁଙ୍କି ଜଳ ଭଣ୍ଡାର ସଂଲଗ୍ନ ଶାଖା କେନାଲଗୁଡିକ ଦୀର୍ଘଦିନ ହେଲା ସଫେଇ ହେଉ ନ ଥିବାରୁ କେନାଲ ମଝିରେ ଅନାବନା ଗଛ ଉଠିବା ସହିତ ମାଟି ଭରି ହୋଇଯାଇଛି। ପିଲା ସାଲୁଙ୍କି ଜଳ ଭଣ୍ଡାରର ଗଚ୍ଛିତ ଜଳ ସହଜରେ ଚାଷୀର ଚାଷ ଜମିକୁ ଯାଇ ପାରୁ ନ ଥିଲା; ଯାହାକୁ ନେଇ ନବଗୁବାବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳି ପାରି ନ ଥିଲା। ଫଳରେ ନିଜର ଚାଷ ଜମିର ସୁରକ୍ଷା ପାଇଁ ନବଗୁବାର ଶତାଧିକ ଯୁବକ ଏକାଠି ହୋଇ କେନାଲରେ ଜମି ରହିଥିବା ଆବର୍ଜନା ସଫା କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସେମାନେ ଗୁହାରି କରିଛନ୍ତି।

Share