ଦଶମନ୍ତପୁର,୨୨ା୨(ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ୪ଟି ଗ୍ରାମର ଗ୍ରାମବାସୀ ମଙ୍ଗଳବାର ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାସ୍ତା ଓ ପାନୀୟ ଜଳର ସମସ୍ୟା ସମାଧାନ ହୋଇପାରି ନ ଥିବାରୁ ଝାପ୍ରାପଦର, ତେନ୍ତୁଳିଗୁଡ଼ା, ସଲପଗୁଡ଼ା ଓ ବଦଳିମାଳିଗୁଡ଼ା ଅଞ୍ଚଳବାସୀ ଭୋଟ ନ ଦେବାକୁ କହିଛନ୍ତି। ରାସ୍ତା ନାହିଁ ତ ଭୋଟ ନାହିଁ, ପାଣି ଦିଅ ଭୋଟ ନିଅ ବୋଲି ଗ୍ରାମବାସୀ ସ୍ଲୋଗାନ ଦେଇଥିଲେ।
ସଲପଗୁଡ଼ା ଗ୍ରାମରେ ଉପରୋକ୍ତ ୪ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୈଠକ କରି ଏକାଠି ହୋଇଥିଲେ। ଗ୍ରାମର ଏହି ସମସ୍ୟା ନେଇ ପୂର୍ବରୁ ସେମାନେ ସରପଞ୍ଚ, ବିଡିଓଙ୍କ ସମେତ ବିଭିନ୍ନ ଦଳର ରାଜନେତାଙ୍କୁ ବହୁବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ସୂଚନାଯୋଗ୍ୟ, ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ଗ୍ରାମଗୁଡିକ ମାତ୍ର ୪ ରୁ ୧୦ କି.ମି. ମଧ୍ୟରେ ରହିଛି।