
ପଟ୍ଟାଙ୍ଗି,୨୩ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀରେ ଥିବା କୋଟିଆ ପଞ୍ଚାୟତ ଉପରସେମ୍ବି ଗ୍ରାମ ନିକଟ ଜଙ୍ଗଲରେ ପଡ଼ିଥିବା ସୀମା ଚିହ୍ନଟ ଖୁଣ୍ଟିକୁ ନେଇ ଆନ୍ଧ୍ରର ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ଓଡ଼ିଶା ସୀମାନ୍ତବାସୀ ସ୍ଥାନୀୟ ପ୍ରଶାସନ ଉପରୁ ବିଶ୍ୱାସ ହରାଉଛନ୍ତି। ସୁରକ୍ଷା ପାଇଁ ଆନ୍ଧ୍ର ପ୍ରଶାସନକୁ ଲିଖିତ ଦାବି ଜଣାଇଛନ୍ତି। ଆନ୍ଧ୍ରର ଜନସେନା ଦଳର ଆଦିବାସୀ ଆଇନ ପରାମର୍ଶଦାତା ରେଗୁମେଶ୍ୱର ରାଓ ରବିବାର ଜଙ୍ଗଲ ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି।
ଏହି ଦଳର ଆଦିବାସୀ ଆଇନ ପରାମର୍ଶଦାତା ରାଓ ଉପରସେମ୍ବି ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲରେ ପଡି ରହିଥିବା ସୀମା ଚିହ୍ନଟ ଖୁଣ୍ଟିକୁ ଦେଖିବା ସହ କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି।
ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ମନମୁତାବକ କାର୍ଯ୍ୟ ଠିକ୍ ନୁହେଁ, ଏହା ଉପରେ ବିଚାର କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି। ସେପଟେ ଖୁଣ୍ଟି ପଡି ରହିଥିବା ଘଟଣାକୁ ନେଇ ଉପରସେମ୍ବି ଗ୍ରାମବାସୀ ଆନ୍ଧ୍ରର ସାଲୁର ତହସିଲଦାରଙ୍କ ନିକଟରେ ପହଞ୍ଚି ଆମକୁ ସୁରକ୍ଷା ଦିଆଯାଉ ବୋଲି ଲିଖିତ ଭାବେ ଜଣାଇଛନ୍ତି।
ସୋମବାର ଆନ୍ଧ୍ର ତହସିଲ କାର୍ଯ୍ୟାଳୟର ଏକ ପ୍ରତିନିଧି ଦଳ ଓଡ଼ିଶାରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ପଚାରିବାରୁ ଏହି ଜଙ୍ଗଲରେ ପଡିଥିବା ଖୁଣ୍ଟି ଓଡ଼ିଶାର ବିଦ୍ୟୁତ୍ ବିଭାଗ ପକ୍ଷରୁ ସୀମାନ୍ତ ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହ ଏକ ସବ୍ଷ୍ଟେଶନ୍ ନିର୍ମାଣ କରିବାକୁ ଜାଗା ଚିହ୍ନଟ କରାଯାଇ ଖୁଣ୍ଟି ପୋତିବା ପାଇଁ ପଦକ୍ଷେପ ନିଆଯାଇଥିବା କହିଛନ୍ତି।