ବିଶ୍ରା,୨୨ା୯( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଦରେଇକେଲା ପଞ୍ଚାୟତ ଯୋଡ଼ବନ୍ଧ କଚାଟୋଲି ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏକ ବର୍ଷଧରି ସୋଲାର ପ୍ୟାନେଲ ଅଚଳ ହୋଇପଡିବା ସହ ନଳକୂପ ମରାମତି ଅଭାବରୁ ସେଗୁଡିକରୁ ଅନେକ ସମୟରେ ମଇଳା ପାଣି ବାହାରୁଛି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ପୋଖରୀ, ନଈ, ଚୁଆ, କୂଅରୁ ଦୂଶିତ ପାନୀୟ ଜଳ ପିଇବା ପାଇଁ ବାଧ୍ୟ ହୋଉଛନ୍ତି। ୪ଶହ କୋଟି ଟଙ୍କା ବ୍ୟୟରେ ତେତ୍ରେକେଳା ନଦୀରୁ ପାଣି ପାଇଁ ଘରେ ଘରେ ପାଇପ ସଂଯୋଗ ହୋଇଛି। ହେଲେ ପାଣି ଆସୁନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗ୍ରାମ୍ୟ ପାଇପ ପାଣି ଯୋଗାଣ ଯନ୍ତ୍ରୀ ରସାନନ୍ଦ ବରାଳଙ୍କୁ ପଚାରିବାରୁ, ନଳକୂପ ମରାମତି କରିବାକୁ ପ୍ରତି ପଞ୍ଚାୟତରେ ଏସିମ୍ ନିଯୁକ୍ତ ହୋଇଛନ୍ତି। ସେମାନେ ଏହାର ତଦାରଖ କରିବେ ବୋଲି ସେ କହିଥିଲେ। ସୋଲାର ପ୍ୟାନେଲ ବିଷୟରେ ଅବଗତ କରାଯିବାରୁ, ସୋଲାର ପ୍ୟାନେଲ ମରାମତି ପାଇଁ କମ୍ପାନୀମାନେ ଦାୟିତ୍ୱ ନେଉନାହାନ୍ତି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯନ୍ତ୍ରୀ ବରାଳ ପ୍ରକାଶ କରିଥିଲେ।