ନୂଆପଡା ଅଫିସ,୨୪।୪: ବିଶୁଦ୍ଧ ପାନୀୟ ଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜାନା ଉପରେ ଯୋଜନା କରୁଛନ୍ତି। ସ୍ଥାନୀୟ ଅଧିକାରୀ ବା କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ଲୋକେ ପାଣି ବୁନ୍ଦାଏ ପାଇପାରୁ ନାହାନ୍ତି। ଗାଁରେ ପାଇପ ପୋତା ଯାଇ ଷ୍ଟାଣ୍ଡପୋଷ୍ଟ ତିଆରି ହୋଇ ଭାଙ୍ଗି ସାରିଲାଣି। ହେଲେ ଗାଁକୁ ପାଣି ପହଞ୍ଚତ୍ ପାରିଲା ନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ବାବେଘାଟି ଗାଁରେ। ୮ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁରେ ୧୩୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବାବେଳେ ୪ ଟି ନଳକୂଅ ରହିଛି। ୨ଟିରେ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁ ଥିବାରୁ ପ୍ରଶାସନ ପକ୍ଷରୁ ନିଷିଧ କରି ଦିଆଯାଇଛି । ଅଦାପଡ଼ାରେ ଥିବା ନଳକୁଅରେ ଜୋକ, ପୋକ ସହ ଗୋଳିଆ ପାଣି ବାହାରୁ ଥିବାରୁ ବ୍ୟବହାର କରୁନାହାନ୍ତି। ଅନ୍ୟ ଏକ ନଳକୂଅରେ ଗାଁର ସବୁ ଲୋକ ବ୍ୟବହାର କରୁଥିବାରୁ ରାତି ନ ପାହିବା ଆଗରୁ ଲମ୍ବା ଲାଇନ ଲାଗିବାକୁ ପଡୁଛି। ସେଥିରେ ମଧ୍ୟ ସମସ୍ତଙ୍କୁ ପାଣି ଠିକ ଭାବରେ ହେଉ ନ ଥିବାରୁ ୧ କିଲୋମିଟର ଦୂରରେ ଥିବା ଏକ ପୋଖରୀକୁ ଯାଇ ବାଲିଚୂଆଁ କରି ପାଣି ଆଣି ଲୋକେ ବ୍ୟବହାର କରୁଛନ୍ତି। ବାଲି ଚୂଆଁ ପାଣି ଖାଇବା ଯୋଗୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଗାଁରେ ବସୁଧା ଯୋଜନାରେ ପାଣି ଯୋଗାଇବା ପାଇଁ ପାଇପ ପୋତା ଯାଇ ପ୍ରତ୍ୟେକ ଘର ଦ୍ୱାର ମୁହଁରେ ଖୁଣ୍ଟମାନ ପୋତା ଯାଇଥିଲା। ସେହି ଖୁଣ୍ଟସବୁ ଭାଙ୍ଗି ଗଲାଣି। ହେଲେ ଗାଁକୁ ପାଣି ପହଞ୍ଚି ପାରିଲା ନାହିଁ । ଜିଲାରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଖରାରେ ଲୋକେ ତ୍ରାହି ତ୍ରାହି ହେଉଥିବାବେଳକୁ ଗାଁରେ ପାଣି ପାଇଁ ଡହକ ବିକଳ ହେଉଛନ୍ତି। ପାଣି ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ଜିଲା ପ୍ରଶାସନଙ୍କୁ ମଧ୍ୟ ଜଣାଇ ସାରିଲେଣି। ହେଲେ କୌଣସି ସୁଫଳ ମିଳୁ ନାହିଁ। ଗ୍ରାମରେ ଜନସଂଖ୍ୟା ଅନୁପାତରେ ଆବଶ୍ୟକ ନଳକୂଅ ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କୋମନା ବିଡିଓଙ୍କୁ ପଚାରିବାରୁ ବହୁତ ଶୀଘ୍ର ସମସ୍ୟାର ସାମାଧାନ କରାଯିବ ବୋଲି କହିଛନ୍ତି।