ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ମୋରଡ଼ା,୨୧ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଡାକୋଇ ଅଙ୍ଗନଓ୍ବାଡି କେନ୍ଦ୍ରରେ ସୋମବାର ଗ୍ରାମର ମହିଳାମାନେ ତାଲା ପକାଇଛନ୍ତି।

ସୂଚନା ଅନୁଯାୟୀ, ଆଜକୁ ପ୍ରାୟ ଏକ ବର୍ଷ ତଳେ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ପାଇଁ ଗ୍ରାମର ଜଣେ ଗରିବ ବିଧବା ମହିଳା ଲକ୍ଷ୍ମୀ ସିଂଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ମୋରଡା ସିଡିପିଓ ମିତା ନାଏକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସିଡିପିଓ ସୁବାସିନୀ ସିଂ ନାମକ ଜଣେ ବିବାହିତା ମହିଳାଙ୍କୁ ଏଠାରେ ନିଯୁକ୍ତି ଦେଇଥିଲେ। ଯାହାକୁ ଗ୍ରାମବାସୀ ପ୍ରଥମରୁ ବିରୋଧ କରି ଆସୁଛନ୍ତି। ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବାରିପଦା-ଚିତ୍ରଡା ରାଜ୍ୟ ରାଜପଥର କାଳରଫୁଲିଆ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ସେତେବେଳେ ଘଟଣାସ୍ଥଳରେ ବେତନଟି ପୋଲିସ ଏବଂ ପ୍ରଶାସନ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଉକ୍ତ ଘଟଣାର ସମାଧାନ ହୋଇଥିଲା l ଉକ୍ତ ଅଙ୍ଗନଓ୍ବାଡିକୁ ନିକଟସ୍ଥ ଅମଣନାମା ଅଙ୍ଗନଓ୍ବାଡି କେନ୍ଦ୍ର ସହିତ ଟ୍ୟାଗ କରି ଛୋଟ ଛୋଟ ପିଲା, ଗର୍ଭବତୀ ମହିଳାମାନଙ୍କ ପାଇଁ ଯାହା କିଛି ସରକାରଙ୍କର ସୁବିଧା ଅଛି, ସେସବୁ ଯୋଗାଇ ଦେବାକୁ ଗ୍ରାମବାସୀ କହିଥିଲେ।
ତେବେ ଏତେସବୁ ଘଟଣା ଘଟିଥିଲେ ମଧ୍ୟ ସିଡିପିଓ ମିତା ନାଏକ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନ ଥିଲେ।
କିନ୍ତୁ ପୁଣି ଗତ ୪ଦିନ ହେବ ସୁବାସିନୀ ସିଂ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସି ଡ୍ୟୁଟି କରୁଛନ୍ତି l ଫଳରେ ଆଜି ଗ୍ରାମର ଉତ୍ତ୍ୟକ୍ତ ମହିଳାମାନେ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଛନ୍ତି l ଉକ୍ତ ଘଟଣାର ସମାଧାନ ନ ହେବା ଯାଏ କେନ୍ଦ୍ରରେ ତାଲା ଝୁଲିବ ବୋଲି କହିଛନ୍ତି ଗ୍ରାମବାସୀ ଅପର୍ଣ୍ଣା ବେହେରା, ନିନି ସେଠୀ, ସସ୍ମିତା ବେହେରା, କଳ୍ପନା ବେହେରା, ପ୍ରମିଳା ବେହେରା, ସାବିତ୍ରୀ ବେହେରା, ବାସନ୍ତୀ ବେହେରା ପ୍ରମୁଖ।

ସୂଚନାଯୋଗ୍ୟ, ଅଙ୍ଗନଓ୍ବାଡି ପାଚିକା ତଥା ସହାୟିକା ନିଯୁକ୍ତି ପାଇଁ ମୋରଡ଼ା ଆଇସିଡିଏସ୍‌ ଅଫିସର କର୍ମଚାରୀମାନେ ଅନେକ ବିବାଦ ଘେରକୁ ଆସିଥିଲେ ମଧ୍ୟ ପ୍ରଶାସନ ଏଯାଏ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଏବଂ ସିଡିପିଓ ମିତା ନାଏକ ଉକ୍ତ ଘଟଣାରେ କେବେ ସମାଧାନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
ଏନେଇ ସିଡିପିଓ ମିତା ନାଏକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।