ଲହୁଣୀପଡ଼ା,୧୯ା୫(ଡି.ଏନ୍.ଏ.): ଲହୁଣୀପଡ଼ା ବ୍ଲକ ଦର୍ଜୀଂ ପଞ୍ଚାୟତ ମଧୁପୁର ଗ୍ରାମବାସୀଙ୍କୁ ମିଳୁନିି ପକ୍କା ଘର। ପିଢ଼ି ପରେ ପିଢ଼ି ବିତିଗଲାଣି ହେଲେ ଗ୍ରାମରେ ଆଜି ଯାଏ ଜଣକୁ ହେଲେ ପକ୍କାଘର ଖଣ୍ଡେ ମିଳିନାହିଁ। ପ୍ରତ୍ୟେକ ଥର ବ୍ଲକ, ପଞ୍ଚାୟତ ଯାଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ଏହି ଗ୍ରାମରେ ୭୭ଟି ପରିବାରରେ ୩୪୨ ଲୋକ ବସବାସ କରନ୍ତି। ଗୋଟିଏ କିମ୍ବା ଦୁଇଟି ପରିବାରକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଗରିବ ଆଦିବାସୀ ସମ୍ପ୍ରଦାୟର। ମାଟି କାନ୍ଥ ଘରେ ଯୁଗ ବିତିଗଲାଣି। ସେହି ଗୋଟିଏ ଘରେ ଖାଇବା, ଶୋଇବା, ରହିବା ସହିତ ଗୃହ ପାଳିତ ପଶୁପକ୍ଷୀମାନେ ମଧ୍ୟ ରହୁଛନ୍ତି। ସରକାରଙ୍କ ଗରିବଙ୍କ ପାଇଁ ପକ୍କାଘର ଯୋଜନା ଏଠି ସାତସପନ ସଦୃଶ ପାଲିଟିଛି ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ସମସ୍ତେ ଲିଷ୍ଟରେ ଅଛି ବୋଲି କହୁଛନ୍ତି। ଭୋଟବେଳେ ନେତାମନ୍ତ୍ରୀ, ସରପଞ୍ଚ ଗାଁକୁ ଆସନ୍ତି। ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି। ଏମିତି କି ଘର ଯୋଗାଇଦେବା ପାଇଁ କାଗଜପତ୍ର ମାଗି ନିଅନ୍ତି। ହେଲେ ଭୋଟ ସରିଗଲେ ଆଉ କାହାର ଦେଖା ମିଳେନି। ଏନେଇ ଗ୍ରାମର ଜଣେ ମହିଳା କହିଛନ୍ତି, ଅଜା ଶଶୁର ପକ୍କାଘର ଖଣ୍ଡେ ପାଇବେ ବୋଲି କେତେ ଆଶା କରିଥିଲେ। ହେଲେ ତାଙ୍କର ମୃତ୍ୟୁ ଘଟିଲା। ଶଶୁର ମଧ୍ୟ ପକ୍କାଘର ଆଶା କରି ଜୀବନ ଗଲା। ଏପରି କି ସେମାନେ କେତେଜଣ ମଧ୍ୟ ବିଧବା ହେଲେଣି। ପିଢ଼ି ପରେ ପିଢି ବିତି ଗଲାଣି। ପକ୍କାଘରକୁ ଅପେକ୍ଷା କରି କରି ଗ୍ରାମର ଅନେକ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଲାଣି ବୋଲି ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଅନୁରାଗ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ଆମ ଫିଲ୍ଡ ଷ୍ଟାଫ ଯାଇ ତଦନ୍ତ କରିବେ। ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଥିଲେ।