ଫାର୍ମରେ କୁକୁଡ଼ା ଛୁଆ ଛାଡ଼ିବା ପରେ ଗାଁରେ ଉତ୍ତେଜନା

ପାଟଣା,୧୩।୧୧(ସ୍ବ. ପ୍ର):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ପ୍ରସ୍ତାବିତ ଏକ ବ୍ରଏଲର ଫାର୍ମକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଶତାଧିକ ମହିଳା ଓ ପୁରୁଷ ଶନିବାର ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ୧୩ ହଜାର କ୍ଷମତା ସମ୍ପନ୍ନ କୁକୁଡ଼ା ଫାର୍ମ ହେଲେ ସାହି ଲୋକେ ସ୍ବାଭାବିକ ଜୀବନଯାପନ କରିପାରିବେ ନାହିଁ। ଦୁର୍ଗନ୍ଧ ଓ କୁକୁଡ଼ା ଫାର୍ମରୁ ନିର୍ଗତ ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ଆଶଙ୍କାରେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ସରପଞ୍ଚ ରଞ୍ଜୁଲତା ନାଏକ ବିନା ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡଙ୍କ ଅନୁମତିରେ ଏଠାରେ କୁକୁଡ଼ା ଫାର୍ମ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଚଞ୍ଚକତା ପୂର୍ବକ ସରପଞ୍ଚ କିଛି ଲୋକଙ୍କୁ ପାଇପ୍‌ ଯୋଗେ ପାଣି ଆସିବ କହି ସାଧା କାଗଜରେ ଦସ୍ତଖତ କରି ନେଇ ବ୍ରଏଲର ଫାର୍ମ କରିବାକୁ ଅନୁମତି ଦେଇଥିବା ଗ୍ରାମବାସୀ ପୂର୍ବରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ ବୁଧବାର ରାତିରେ ଉକ୍ତ ଫାର୍ମରେ ମାଲିକ ଜୋର ଜବରଦସ୍ତ ଭାବେ କୁକୁଡ଼ା ଚିଆଁ ଛାଡିବା ପରେ ଗ୍ରାମରେ ଅସନ୍ତୋଷ ସହ ଉତ୍ତେଜନା ଲାଗି ରହିଛି। ଆଗକୁ ଉକ୍ତ ସ୍ଥାନରେ କୁକୁଡ଼ା ଫାର୍ମ ବନ୍ଦ କରା ନ ଗଲେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share