ମେଶିନରେ ଚେକ୍‌ ଡ୍ୟାମ କାମକୁ ଗ୍ରାମବାସୀଙ୍କ ବିରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗରୀ ଗାଁରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଦୁଇଟି ଚେକ୍‌ ଡ୍ୟାମ କାମ କରାଯାଉଛି। ବିନା ସୂଚନା ଫଳକରେ ଏବଂ ଶ୍ରମିକ ବଦଳରେ ବେଆଇନ ଭାବେ ଜେସିବି ମେଶିନ ଲଗାଯାଇ କାମ କରାଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହାପରେ କାମକୁ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି ା ସୂଚନା ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷରୁ ବ୍ରାହ୍ମଣୀଡୁଙ୍ଗରୀ ଗାଁର ବନ୍ଧତଲ ଓ ବ୍ରାହ୍ମଣୀଡୁଙ୍ଗରୀ ନାଲାରେ ଦୁଇଟି ଚେକଡ୍ୟାମ ନିର୍ମାଣ ପାଇଁ ଡିଆରଡିଏରୁ ମଞ୍ଜୁରୀ ମିଳିଛି ା ଏଥିପାଇଁ ୭ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଇତିମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ହେଁ ବିଭିନ୍ନ କାରଣରୁ ତାହା ନିର୍ମାଣ ହୋଇପାରିନାହିଁ। ଏବେ ପଞ୍ଚାୟତ ପକ୍ଷରୁ ଚେକଡ୍ୟାମ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। କିଛିିଦିନ ତଳେ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀ କ୍ଷେତ୍ରକୁ ଯାଇ ଲେ ଆଉଟ ଦେଲା ପରେ ମେଶିନରେ ନିଅଁ ଖୋଳା ଆରମ୍ଭ କରାଯାଇଥିଲା। ତେବେ ବିନା ସୂଚନା ଫଳକରେ ବନ୍ଧତଲ ଚେକଡ୍ୟାମ ପାଇଁ ନିଅଁ ଖୋଳା ସରିଯାଇଛି ା ସେହିପରି ବ୍ରହ୍ମଣୀଡୁଙ୍ଗରୀ ନାଲା ଠାରେ ନିଅଁ ଖୋଲାଯାଉଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ବିନା ସୂଚନା ଫଳକ ଏବଂ ଶ୍ରମିକ ବଦଳରେ ମେଶିନରେ କାମ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏମଜିଏନଆରଇଜିଏସ କାମରେ ମେଶିନ ଲାଗିବା ବେଆଇନ ଅଭିଯୋଗ କରି ଗ୍ରାମବାସୀ କାମକୁ ବିରୋଧ କରିଥିଲେ। ଏହା ଶ୍ରମିକ ମାରଣନୀତି ଅଭିଯୋଗ କରି ଗ୍ରାମବାସୀ ବ୍ରାହ୍ମଣୀ ଡୁଙ୍ଗରୀ ନାଲାରେ ଚାଲିଥିବା ନିଅଁ ଖୋଲା କାମ ବନ୍ଦ ରଖିବାକୁ କହିଥିଲେ ା ଏ ସମ୍ପର୍କରେ ଜିଆରଏସ ଶିବପ୍ରସାଦ ସା କହିଛନ୍ତି, ପୂର୍ବ ରେକର୍ଡ କାମ ସମ୍ପର୍କରେ ଜାଣିନାହିଁ କିମ୍ବା ଡିମାଣ୍ଡ ଖୋଲା ଯାଇନାହିଁ। କେମିତି ଏବଂ କିଏ କାମ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ବିଭାଗୀୟ ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀ କହିଛନ୍ତି, ଲେ ଆଉଟ ଦିଆଯାଇଥିଲା। ଡିମାଣ୍ଡ ଖୋଲି କାମ କରିବା କଥା। ମେଶିନରେ କାମ କରିବା ବେଆଇନ ବୋଲି କହିଥିଲେ। ଜାଣିଲା ପରେ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଥିଲେ। ସରପଞ୍ଚ ସଜଂୟ ଗଡତ୍ୟା କହିଛନ୍ତି, ଶ୍ରମିକମାନେ କାମ କରୁଥିଲେ। ବଡ ପଥର ପଡିବାରୁ ମେଶିନ ଲଗାଯାଇଥିଲା। ଅପରପକ୍ଷେ ନିଜ ତରଫରୁ ଡିମାଣ୍ଡ ଖୋଲା ଯାଇ ନ ଥିବା କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ସଡକ ରାସ୍ତାରୁ କପିଲପଡାକୁ କରାଯାଇଥିବା ରାସ୍ତା ଉନ୍ନତୀକରଣ କାମରେ ମେଶିନ ଲଗାଇ ଶ୍ରମିକ ନାମରେ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।

Share