ଖଜୁରିପଡ଼ା,୧୭ା୧୦(ବିଦୁର ବେହେରା): ବାଇପାସ୍ ଏନ୍ଏଚ୍ ରାସ୍ତାକୁ ତିଳକପଡା ଗ୍ରାମବାସୀ ତରଫରୁ ବିରୋଧ କରାଯାଉଛି। ଟିଟ୍ରାପଙ୍ଗା ସରପଞ୍ଚଙ୍କ କହିବା ଅନୁଯାୟୀ ଖଜୁରିପଡ଼ା ତହସିଲ ଅନ୍ତର୍ଭୁକ୍ତ ତିଳକପଡା ଗ୍ରାମ ଦେଇ ଏକ ବାଇପାସ୍ ଏନ୍ଏଚ ରାସ୍ତା ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାସ୍ତା ଯାଉଥିବା ଜାଗା ଗୁଡ଼ିକ ମଧ୍ୟରେ ବସ୍ତି ଘର ଦୁଆର ରହିଛି। ତେଣୁ ଘର ଦୁଆର ଭାଙ୍ଗି ଦେଲେ ଲୋକେ ନାହିଁ ନ ଥିବା ହଇରାଣ ହେବେ। ତେଣୁ ପୂର୍ବ ପୁରୁଷ ଦଖଲ କରି ଘର ଦୁଆର ନିର୍ମାଣ ହୋଇଥିବା ବସ୍ତି ଦେଇ ରାସ୍ତା ନ ନେବାକୁ ସରକାରଙ୍କୁ ଅନୁରୋଧ କରାଯାଉଛି। କିନ୍ତୁ ପ୍ରଶାସନ ଅଧିକାରୀମାନେ ଆସି ରାସ୍ତା ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ କରୁଛନ୍ତି ଏବଂ ବସ୍ତି ଉଠିବାକୁ କହୁଛନ୍ତି। ତେଣୁ ଗ୍ରାମବାସି ତରଫରୁ ଏହାକୁ ବିରୋଧ କରାଯାଉଛି। ତେଣୁ ସୋମବାର ଏକ ଆପୋଷ ବୁଝାମଣା ପାଇଁ ପ୍ରଶାସନିକ ଅଧିକାରୀ ତହସିଲଦାର ଭିକାରୀ ସାହୁ, ଏସଡିପିଓ ସୁପ୍ରସ୍ନ ମଲ୍ଲିକ, ଥାନା ଅଧିକାରୀ ଗେଲି କୁମାରୀ ସାହୁ, ଗୁଦାରି ରାଜସ୍ବ ନିରୀକ୍ଷକ ଅଧିକାରୀ ସ୍ବପ୍ନା ସାହୁ ସମେତ ପୋଲିସ ବାହିନୀ ଏବଂ ଗ୍ରାମବାସୀ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବୈଠକରେ କୌଣସି ସମାଧାନ ହୋଇ ନଥିବାରୁ ଗ୍ରାମବାସୀ ତରଫରୁ ଆଇନର ଆଶ୍ରୟ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ ସୂଚନା ଦେଇଛନ୍ତି।