ବାଲି ନିଲାମକୁ ଗ୍ରାମବାସୀଙ୍କ ବିରୋଧ: ସଙ୍କଟରେ ବୋଇତବାଙ୍କ ଗାଁ

ବାଲେଶ୍ୱର ଅଫିସ,୨୭।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ଘୁଙ୍ଗି ମୌଜାର ସୋନ ନଦୀକୂଳରେ ଅବସ୍ଥିତ ବୋଇତବାଙ୍କ ଗ୍ରାମ ଆଜି ସଂକଟରେ। ଭୌଗୋଳିକ ଅବସ୍ଥିତି ବଦଳିଲେ ସମ୍ପୂର୍ଣ୍ଣ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହାପୂର୍ବରୁ ବୋଇତବାଙ୍କ ଘାଟରେ ଥିବା ବାଲି ଉତ୍ସ ନିଲାମ ନିଷ୍ପତ୍ତି ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବାତିଲ୍‌ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲାପାଳ, ବିଡିଓ ଓ ତହସିଲ ଅଫିସ୍‌ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଘୁଙ୍ଗି ମୌଜାରେ ବୋଇତବାଙ୍କର ପ୍ଲଟ ୯୯୭ ଓ ୮୬୦ ନିକଟରେ ଘରବାରି, ବଗିଚା, ଗୋଚର, ଶ୍ମଶାନ ତଥା ତେନ୍ତୁଳିଦା ଓ ପତ୍ରିପାଳ ପଞ୍ଚାୟତକୁ ଯୋଗାଉଥିବା ବୃହତ୍‌ ପାନୀୟଜଳ ପ୍ରକଳ୍ପ ରହିଛି। ବାଲି ନିଲାମ ହେଲେ ପାଣିର ଉତ୍ସ ବନ୍ଦ ହେବା ସହ ନଦୀ ବାଙ୍କରେ ଅବସ୍ଥିତ ଗ୍ରାମ ପ୍ରତି ବିପଦ ସୃଷ୍ଟି ହେବ। ବାଲି ଉଠିଗଲେ ବନ୍ୟା ସମୟରେ ନଦୀ ଗତିପଥ ବଦଳିବା ସହ ଗ୍ରାମ ନଦୀ ଗର୍ଭରେ ଲୀନ ହୋଇଯିବ। ଏଥିସହ ନୂତନ ଭାବେ ନିର୍ମାଣ ହେଉଥିବା ପୋଲ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବନ୍ଦ ରଖନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଅଶ୍ରୁ କୁମାର ସ୍ବାଇଁ କହିଛନ୍ତି, ପ୍ରାଚୀନ ଉକତ୍ଳୀୟ ନୌବାଣିଜ୍ୟ ସହ ଗ୍ରାମର ସମ୍ପର୍କ ଥିବାରୁ ଏହାର ନାମ ବୋଇତବାଙ୍କ ହୋଇଛି। ବାଲେଶ୍ୱରଠାରେ ଏକ ବନ୍ଦର ଥିବା ଓ ତାର ଏକ ଶାଖା ବୋଇତବାଙ୍କଠାରେ ଥିବା ଜନଶ୍ରୁତିରେ ଶୁଣିବାକୁ ମିଳେ। ସେହି ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ବାଲି ସ୍ତୁପ ଦ୍ୱୟ ପ୍ଲଟ ୯୯୭ ଓ ୮୬୦ରେ ପ୍ରତିବର୍ଷ ଆଡ଼ମ୍ବର ସହକାରେ ୩ଦିନ ଧରି କାର୍ତ୍ତିକ ପୂର୍ଣ୍ଣିମା ଆୟୋଜିତ ହୋଇଆସୁଛି।
ଜୟନ୍ତ କୁମାର ପାଣିଗ୍ରାହୀ କହିଛନ୍ତି, ତଳିଆ ଅଞ୍ଚଳରୁ ବାଲି ଉଠିଯିବା ଫଳରେ ବନ୍ୟାରେ ଧୋଇ ହୋଇ ବର୍ତ୍ତମାନ ବାଲିର ସ୍ତର ମାତ୍ର ୧ ଫୁଟ୍‌ ରହିଛି। ଯଦି ବାଲି ସଇରାତ୍‌ ନିଲାମ ହୁଏ ତା’ହେଲେ ଏହି ପ୍ରାଚୀନ ସଂସ୍କୃତି ନଷ୍ଟ ହେବା ନିଶ୍ଚିତ।