କାର୍‌-ଅଟୋ ଧକ୍କାରେ ମୃତ୍ୟୁ: ରାଜପଥରେ ମୃତଦେହ ରଖି ବିକ୍ଷୋଭ କଲେ ଗ୍ରାମବାସୀ

ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ କାର୍‌ (ଓଡି୦୭ଏଜେ ୬୯୧୭)ସହ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୫୭୧୮)ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋ ଯାତ୍ରୀ ହିଞ୍ଜିଳି ଥାନା ଚୈତନ୍ୟପଡ଼ା ଗ୍ରାମର ପବନା ଦାସ(୨୬)ଙ୍କ ମୃତ୍ୟୁ ଘଟିଥିଲା। ଶନିବାର ମୃତ ପବନାଙ୍କ ମୃତଦେହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ବ୍ୟବଚ୍ଛେଦ ପରେ ଗାଁକୁ ଆଣିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ନିକଟସ୍ଥ ଜାତୀୟ ରାଜପଥ ନଂ ୫୯ ଅବରୋଧ କରି ୧୦ ଲକ୍ଷ ଟଙ୍କା ସରକାରୀ ସହାୟତା ଓ ମୃତକଙ୍କ ପରିବାରର ଜଣକୁ ସରକାରୀ ଚାକିରି ଦାବି କରିଛନ୍ତି। ଅନ୍ୟପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ ୁ ବ୍ରହ୍ମପୁର ବଡ ଡାକ୍ତରଖାନାରୁ ଗାଁକୁ ଆଣିବା ପାଇଁ ଆମ୍ବୁଲାନ୍ସ ନ ମିଳିବାରୁ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ମରଶରୀର ଗାଁରେ ନ ପହଞ୍ଚିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶନିବାର ଅପରାହ୍ନ ୨ଟାରୁ ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟ ୫୯ ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଖବର ପାଇ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ଅତିରିକ୍ତ ତହସିଲଦାର, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନୀବାସ ସେଠୀ ଓ ୪ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ ଓ ବିକ୍ଷୋଭ ଜାରି ରଖିଛନ୍ତି।

Share