Categories: ଜାତୀୟ

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଖୁସି ମନାଇଲେ ଏହି ଗ୍ରାମବାସୀ

କାନପୁର,୧୧।୭: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ କାନପୁର ବିକରୁ ଓ ଆଖପାଖ ଗଁାରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବିକରୁ ଗାଁରେ ଲୋକମାନେ ଭୟଭୀତ ଅବସ୍ଥାରେ ଏବେ ବି ଘରେ ରହୁଥିବା ବେଳେ ଏଠାରୁ କିଛି ଦୂରରେ ଥିବା ଶିବଲୀ ଗାଁର ଲୋକମାନେ କିନ୍ତୁ ଖୁସି ମନାଉଛନ୍ତି। ଏହି ଗାଁର ଲୋକମାନଙ୍କ ମନରେ ବିକାଶ ପ୍ରତି ଏତେ ଭୟ ରହିଥିଲା ଯେ, ତାଙ୍କ ମୃତ୍ୟୁ ପରେ ଆଜିଠାରୁ ନୂଆ ସ୍ବାଧିନତା ଜୀବନ ବିତାଇବେ ବୋଲି କହିଛନ୍ତି।

ଇତିମଧ୍ୟରେ ଶିବଲି ଗ୍ରାମରେ ବିକାଶଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଥିବା ଲଲନ ବାଜପେୟୀ ତାଙ୍କ ଘରେ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, ଏବେ ବିକାଶର ଯୁଗ ଓ ଆତଙ୍କବାଦର ଯୁଗ ଶେଷ ହୋଇଛି। ବର୍ତ୍ତମାନ ଶାନ୍ତିର ସମୟ ଆସିଛି ବୋଲି କହି ଲଲନ ଗାଁରେ ମିଠା ବାଣ୍ଟିଛନ୍ତି। ସୂଚନାଯୋଗ୍ୟ, ୨୦୦୨ରେ ବିକାଶ ଲଲନଙ୍କ ଘରେ ବୋମା ପକାଇବା ସହ ଗୁଳି ଚଳାଇ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଏକଦା ବିକାଶ ଓ ଲଲନ ଭଲ ବନ୍ଧୁ ଥିବା ବେଳେ ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। କାନପୁରର ଶିବଲି ସହର କେବେ ବିକାଶ ଦୁବେଙ୍କ ଅପରାଧର ଗଡ଼ ଥିଲା ବୋଲି କୁହାଯାଏ। ଶିବଲିରୁ ହିଁ ସେ ଅପରାଧ ଜଗତରେ ପାଦ ଦେଇଥିଲେ।

Share